ଭୁବନେଶ୍ୱର: ଗ୍ରୀଷ୍ମ ପ୍ରକୋପରୁ ମିଳିବ ଆଶ୍ୱସ୍ତି । ଉପକୂଳ ଓଡିଶାରେ ତାପମାତ୍ରାରେ ସାମାନ୍ୟ ହ୍ରାସ ହୋଇ ଦୁଇ ଡିଗ୍ରି କମିବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡିଶାରେ ଗ୍ରୀଷ୍ମର ପ୍ରଭାବ ଜାରି ରହିବ । ଏହା ୬ ତାରିଖ ବେଳକୁ ୩-୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । ଏହି ପ୍ରଭାବରୁ ତାତିରେ ସାମାନ୍ୟ ବ୍ରେକ୍ ଲାଗିବ । ୨ ସପ୍ତାହରୁ ଅଧିକ ଗ୍ରୀଷ୍ମର ପ୍ରଭାବରୁ କଲବଲ ହେଉଥିବା ରାଜ୍ୟବସୀଙ୍କୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି , ଦକ୍ଷିଣରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉପକୂଳ ଓଡିଶା ଓ ପାଖାପାଖି ଅଞ୍ଚଳରେ କ୍ରମାଗତ ଭାବରେ ପ୍ରବେଶ କରୁଛି । ଏହି ପ୍ରଭାବ ହେତୁ ଗତକାଲି ରାଜ୍ୟରେ ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୯ ମିମି ବର୍ଷା ରେକର୍ଡ କରାଯାଇଛି । କେତେକ ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି ।
ଆଗାମୀ ୩ରୁ୪ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାନାହିଁ । ଦୁଇଦିନ ପରେ ଉପକୂଳରେ ଗ୍ରୀଷ୍ମ ପ୍ରଭାବର ଆଦୌ ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଓଡିଶାରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିପାରେ । ଏହାର ପ୍ରଭାବ ୬ ତାରିଖ ବେଳକୁ କମିବ । ଏହାପରଠାରୁ ଦିନର ତାପମାତ୍ରା ଆହୁରି ୩-୪ ଡିଗ୍ରି ଖସିପାରେ କାରଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡିଶାରେ ପ୍ରବେଶ କରିବା ଦ୍ୱାରା କାଳବୈଶାଖୀ ଜନିତ ବର୍ଷା ହୋଇ ତାପମାତ୍ରା କମିବାର ସମ୍ଭାବନା ରହିଛି । ସେପଟେ ଆଜି ଭୁବନେଶ୍ୱରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଛି । ବଲାଙ୍ଗିର ୪୫, ଅନୁଗୁଳ ୪୪.୭, ନୂଆପଡା ୪୪.୬, ତାଳଚେର ୪୪.୫, ବାରିପଦା ୪୩.୪, ଭବାନାପାଟଣା ୪୩ ଡିଗ୍ରି ରହିଥିବା ବେଳେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ବଲାଙ୍ଗିର ରହିଛି ।