fbpx

ପୁଣି ରାଜ୍ୟକୁ ଫେରିବ ବର୍ଷା, ଏହିସବୁ ଅଞ୍ଚଳ ସତର୍କ ରହିବାକୁ ପରାମର୍ଶ ଦେଲେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟକୁ ଫେରିବ ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କେତେକାଂଶରେ ଆଜି ପାଗରେ ପରିବର୍ତ୍ତନ ଦେଖାଦେବ । ଫଳରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ବଢ଼ିବ । ୧୪ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ କୁଆପଥର ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଚାଷୀଭାଇଙ୍କୁ ସତର୍କ କରିଦିଆଯାଇଛି । ବର୍ଷା ପୂର୍ବରୁ ଅମଳ ସାଇତିବା ସହ ରବି ଫସଲ ବୁଣାବୁଣି ନ କରିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘନି ସହ ବର୍ଷା ହୋଇପାରେ । ସୋମବାର ଦିନ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ । ଏନେଇ ୭ଟି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, କଟକ ଓ ନୟାଗଡ଼ର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । କୁଆପଥର ଓ ପ୍ରବଳ ବର୍ଷା ଦ୍ୱାରା କୃଷି ଓ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ସେଥିପ୍ରତି ସତର୍କତା ଅବଲମ୍ବନ ନିମନ୍ତେ ବିଭାଗ ପକ୍ଷରୁ କୁହାଯାଇଛି । ୧୦ ତାରିଖ ସୁଦ୍ଧା କ୍ଷେତରୁ ଶସ୍ୟ ଆଣି ଘରେ ସାଇତି ରଖିବାକୁ ଅନୁରୋଧ କରାଯାଇଛି । କିଛିଦିନ ପାଇଁ ଚଣା, ବିରି, କୋଳଥ, ସୋରିଷ ଆଦି ଫସଲ ବୁଣାବୁଣି ନ କରିବାକୁ ଚାଷୀଭାଇଙ୍କୁ କୁହାଯାଇଛି । ତେବେ ଆଗକୁ ସତର୍କ ରହିବାକୁ ଏସଆରସି ସମସ୍ତ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.