fbpx

ICC ପକ୍ଷରୁ ଘୋଷଣା: ଟି-୨୦ ବିଶ୍ୱକପ ୨୦୨୪ର ଆମ୍ବାସଡର ଭାବେ ନିଯୁକ୍ତି ପାଇଲେ ଯୁବରାଜ

ନୂଆଦିଲ୍ଲୀ: ଆସନ୍ତା ଜୁନ ମାସ ପହିଲାରୁ ୨୯ ତାରିଖ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ । ଏହା ମଧ୍ୟରେ ଟି-୨୦ ବିଶ୍ୱକପ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବଡ଼ ନିଷ୍ପତ୍ତି ନେଇଛି । ଟି-୨୦ ବିଶ୍ୱକପର ଆମ୍ବାସଡର ଭାବେ ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ନିଯୁକ୍ତି ମିଳିଛି । ଯୁବିଙ୍କ ପୂର୍ବରୁ ଆଇସିସି କିମ୍ବଦନ୍ତୀ ଧାବକ ଉସେନ ବୋଲ୍ଟଙ୍କୁ ମଧ୍ୟ ଆମ୍ବାସଡର ଭାବେ ନିଯୁକ୍ତି କରିଥିଲା ।

ଆଇସିସି ପକ୍ଷରୁ ଏହି ବଡ଼ ଦାୟିତ୍ୱ ମିଳିବା ପରେ ୨୦୦୭ ଟି-୨୦ ବିଶ୍ୱକପ ଓ ୨୦୧୧ ଦିନିକିଆ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଯୁବରାଜ ଖୁସି ଜାହିର କରିଛନ୍ତି । ଏନେଇ ଯୁବରାଜ କହିଛନ୍ତି, ଟି-୨୦ ବିଶ୍ୱକପ ସହିତ କିଛି ଅଭୁଲା ସ୍ମୃତି ଯୋଡ଼ି ହୋଇ ରହିଛି । ସେଥିମଧ୍ୟରେ ଗୋଟିଏ ଓଭରରେ ୬ଟି ଛକା ସାମିଲ ରହିଛି । ଏଥର ସବୁଠାରୁ ବଡ଼ ସଂସ୍କରଣ ଖେଳାଯାଉ ଥିବାରୁ ଆଗାମୀ ବିଶ୍ୱକପର ଏକ ଅଂଶ ହେବା ନିଶ୍ଚିତ ଭାବେ ରୋମାଞ୍ଚକର ବିଷୟ ।’

ସୂଚନାଯୋଗ୍ୟ ଯେ, ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ଷ୍ଟୁଆର୍ଟ ବ୍ରଡଙ୍କ ଗୋଟିଏ ଓଭରରେ ୬ଟି ଛକା ମାରିଥିଲେ । ୨୦୦୭ ଓ ୨୦୧୧ରେ ଭାରତକୁ ବିଶ୍ୱ ଚାମ୍ପିୟନ କରାଇବାରେ ଯୁବିଙ୍କ ବଡ଼ ଭୂମିକା ରହିଥିଲା । କର୍କଟ ରୋଗରେ ପୀଡ଼ିତ ଥାଇ ବି ଯୁବରାଜ ଦେଶ ପାଇଁ ଖେଳ ଜାରି ରଖିଥିଲେ । ସେ ୩୦୪ଟି ଦିନିକିଆ ଖେଳି ୩୬.୫୫ ଆଭରେଜରେ ୮୭୦୧ ରନ୍ ସଂଗ୍ରହ କରିଥିଲେ । ସେଥିମଧ୍ୟରେ ୧୪ଶତକ ଓ ୫୨ଟି ଅର୍ଦ୍ଧଶତକ ରହିଛି । ଏଥିସହିତ ସେ ୪୦ଟି ଟେଷ୍ଟ ଖେଳି ୧୯୦୦ ରନ୍ ସଂଗ୍ରହ କରିଥିଲେ । ସେଥିରେ ୩ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ରହିଛି । ୫୮ଟି ଟି-୨୦ ଅନ୍ତର୍ଜାତୀୟରେ ସେ ୧୧୭୭ ରନ୍ ସଂଗ୍ରହ କରିବା ସହିତ ଇଣ୍ଟରନ୍ୟାସନାଲ କ୍ରିକେଟରେ ୧୪୮ଟି ୱିକେଟ ନେଇଥିଲେ ।

Get real time updates directly on you device, subscribe now.