ଭୁବନେଶ୍ୱର(ଓଡ଼ିଶା ଭାସ୍କର) : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିବା ସହ ଆନ୍ଧ୍ର ଉପକୂଳ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସକ୍ରିୟ ରହିଛି । ଫଳରେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଘୂର୍ଣ୍ଣିବଳୟ ସକ୍ରିୟ ଯୋଗୁଁ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ଦକ୍ଷିଣ-ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ ରହିଛି । ଏହାସହ ଉପକୂଳ ଓଡ଼ିଶାରେ ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ୯ତାରିଖ ଯାଏଁ ବର୍ଷା ଲାଗି ରହିଲେ ମଧ୍ୟ କେତେକ ଜିଲ୍ଲାରେ ବିସ୍ତୃତି ବର୍ଷା କମ୍ ରହିବ । ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଓ ଗଞ୍ଜାମରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।
ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହୋଇଛି । ଉପକୂଳ ଓଡ଼ିଶାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ମାଲକାନଗିରି, ରାୟଗଡ଼ା ଓ କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଏଥିସହ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଗତ ୨ ଦିନ ହେବ ଭୁବନେଶ୍ୱର ଓ କଟକରେ ଲଗାଣ ବର୍ଷା ଲାଗିରହିବା ଫଳରେ ପୂଜା ବଜାର ସମ୍ପୂର୍ଣ୍ଣ ରୂପେ ଧୋଇଯାଇଛି । ଏପରିକି ଭସାଣିରେ ମଧ୍ୟରେ ବର୍ଷା ଲାଗି ରହିଥିବାବେଳେ ତା’ ଭିତରେ ମା’ଙ୍କୁ ମେଲାଣି ଦିଆଯାଉଛି ।