ଦିଲ୍ଲୀ ଏନସିଆରରେ ଝଡ ତୋଫାନ ପରେ ପ୍ରବଳ ବର୍ଷାର ଦମନ ଲୀଳା: ଉପୁଡିଲା ମହାଦ୍ରୁମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଏନସିଆରରେ ସୋମବାର ପାଣିପାଗରେ ପରିବର୍ତ୍ତନ ଆସିଛି । ସାରା ଦିନ ଖରାତାତିରେ ସିଝୁଥିବା ବେଳେ ଅପରାହ୍ନରେ ହାଲକା ବର୍ଷାର ଝଲକ ଦେଖିବାକୁ ମିଳିଛି । ସନ୍ଧ୍ୟା ଆକାଶରେ ହଠାତ ଛାଇ ଯାଇଥିଲା କଳା ବାଦଲ ଏବଂ ଥଣ୍ଡା ପବନ ସହ ପ୍ରବଳ ବର୍ଷା ମଧ୍ୟ ହୋଇଛି । ତେବେ ବର୍ଷା ପୂର୍ବରୁ ଦିଲ୍ଲୀରେ ହୋଇଥିବା ଏହି ଝଡ ତୋଫାନରେ ଅନେକ ସ୍ଥାନର ଗଛ ଉପୁଡି ଯାଇଥିବା ଦେଖାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦିଲ୍ଲୀ ଏନସିଆର ବ୍ୟତୀତ ରୋହତକ, ଭିବାନୀ, ଚରଖୀ, ଦାଦର. ମଟନହେଲ, ଝଜର ସମେତ ଫରୁଖନଗର, କେସଲୀ, ସୋହାନା, ରେବାଡି, ପଲବଲ, ବାବଲ ଇତ୍ୟାଦି ସ୍ଥାନରେ ପ୍ରବଳ ବର୍ଷା ସହ ଝଡ ତୋଫାନ ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ମଧ୍ୟ ବର୍ଷା ହୋଇଥିବା ସୂଚନା ମିଳିଛି । ମୌସୁମୀର ପରିବର୍ତ୍ତନ ଫଳରେ ଭୀଷଣ ଗରମରେ ହଇରାଣ ହେଉଥିବା ଲୋକମାନଙ୍କୁ ସାମାନ୍ୟ ମୁକ୍ତି ମିଳିଛି । ବର୍ଷା ସହିତ ୫୦କି.ମି ପ୍ରତି ଘଣ୍ଟାରେ ପବନ ହେବାରୁ ଅନେକ ସ୍ଥାନରେ ଗଛ ଉପୁଡି ପଡିଥିବା ଦେଖାଯାଇଛି ।

ତେବେ ଜୋରଦାର ବର୍ଷା ପାଇଁ ରାସ୍ତାରେ ପାଣି ଜମୁଥିବା ଦେଖିବାକୁ ମିଳିଛି । ଅନେକ ଜାଗାରେ କୁଆପଥର ବୃଷ୍ଟି ସାଙ୍ଗକୁ ଝଡ ତୋଫାନ ଯାତାୟତରେ ବାଧା ସୃଷ୍ଟି କରିଛି । ସେପଟେ ଖରାପ ପାଣିପାଗ ଯୋଗୁଁ ଅନେକ ଫ୍ଲାଇଟ ଉଡାଣ ପାଇଁ ଅପେକ୍ଷା କରି ରହିଛନ୍ତି । ଏହାଦ୍ୱାରା ବିମାନ ଉଡାଣରେ ବିଳମ୍ବ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।