ରଜରେ ଭିଜିବ ଓଡ଼ିଶା, ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା
ଏଥର ରଜରେ ଭିଜିବ ସାରା ଓଡ଼ିଶା । 14ରୁ 16 ମଧ୍ୟରେ ଲଘୁଚାପ ସମ୍ଭାବନା । ଏନେଇ ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ଭୁବନେଶ୍ବର: ଏଥର ରଜରେ ଭିଜିବ ସାରା ଓଡ଼ିଶା । 14ରୁ 16 ମଧ୍ୟରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । 14 ରୁ 16 ଜୁନ ମଧ୍ୟରେ ଉତ୍ତର ବଙ୍ଗୋପ ସାଗରେ ଲଘୁଚାପର ସମ୍ଭାବନା ରହିଛି । ଏନେଇ ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ସେପଟେ ଆଜି ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଆଜି ପ୍ରବଳ ବର୍ଷା ପରିଲକ୍ଷିତ ହୋଇଥିବା ବେଳେ ଉପକୂଳ ଓଡ଼ିଶା ଭୂଜୁଛି ବର୍ଷାରେ । ତେବେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । କିଛି ସମୟରେ କାଳ ବୈଶାଖୀ ଯୋଗୁଁ ଘଡ଼ଘଡ଼ି, ବିଜୁଳି ଏବଂ ଝଡ଼ ପବନ ସାଙ୍ଗକୁ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଗୁରୁବାର ଅର୍ଥାତ୍ 12 ତାରିଖରେ ସମସ୍ତ 30 ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 23 ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ 7 ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି ହୋଇଛି।
କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଏହି 7 ଜିଲ୍ଲା କଳା ହାଣ୍ଡିଆ ମେଘ ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଲର୍ଟ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଓ 40-50 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେପଟେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ହେତୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ବଳୟ ସୃଷ୍ଟି ହେବା ସହ ଏହା ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।