fbpx

ଗଭୀର ଅବପାତ ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି, ବୈତରଣୀରେ ବନ୍ୟା ଆଶଙ୍କା

Advertisement

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଏହା ପ୍ରଭାବରେ ସମଗ୍ର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ଗତ ଦୁଇ ଦିନମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳବର୍ଷା ହୋଇଥିବା ଆଞ୍ଚଳିକ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସକାଳ ସୁଦ୍ଧା ରାଜ୍ୟର ୨୦ ଟି ସ୍ଥାନରେ ଅତିଧିକ ପ୍ରବଳ(୨୦ ସେ.ମି.ରୁ ଅଧିକ), ୫୦ ଟି ସ୍ଥାନରେ ଅତି ପ୍ରବଳ(୧୨ ରୁ ୨୦ ସେ.ମି) ଏବଂ ୬୧ ସ୍ଥାନରେ ପ୍ରବଳ ବର୍ଷା ଅନୁଭୁତ ହୋଇଥିବା ରେକର୍ଡ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ଏହା ଗଭୀର ଅବପାତରେ ପରିଣତ ହୋଇଛି । ଉତ୍ତର- ବଙ୍ଗୋପସାଗର କେନ୍ଦ୍ରୀୟ ଅଂଚଳରେ ଏହା କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପ୍ରବଳବର୍ଷା କାରଣରୁ ବଂଶଧାରା ନଦୀ ଗଜପତିରେ ବିପଦ ସଂଙ୍କେତ ପାର କରିଥିବା ବେଳେ କେଉଁଝରରେ ବୈତରଣୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ନଦୀର ଜଳସ୍ତର ନେଇ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି କହିଛନ୍ତି ଯେ, ଖଇରମାଳରେ ୫ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି, ‘କାଲି ଦିନ ୧୦ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ ଜଳ ପହଞ୍ଚିବ। ସରକାର‘ଆଲର୍ଟ ଅଛନ୍ତି, ଭଦ୍ରକ ଓ ଯାଜପୁରକୁ ବରିଷ୍ଠ ଅଧିକାରୀଙ୍କୁ ପଠାଇଛୁ, କିଛି ନଦୀରେ ଜଳସ୍ତର ବଢ଼ୁଛି, ବୈତରଣୀ ବ୍ୟତୀତ ଅନ୍ୟଠି ବନ୍ୟା ସ୍ଥିତି ନାହିଁ ।

ମଙ୍ଗଳବାର ରାତି ୧୧.୩୦ ସୁଦ୍ଧା ଉପକୂଳବର୍ତ୍ତୀ ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ନିକଟ ଆକାଶରେ କେନ୍ଦ୍ରୀଭୂତ ହୋଇଛି । ଏହି ଗଭୀର ଅବପାତ ବୁଧବାର ପ୍ରତ୍ୟୁଷ ସୁଦ୍ଧା ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିବାର ସମ୍ଭାବନା ଅଛି । ତା’ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ଓ ପରବର୍ତ୍ତୀ ୨୪ ଘଣ୍ଟା ଧରି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିକରିବ ।

ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିଶୀଳ ହୋଇ ଝାଡ଼ଖଣ୍ଡକୁ ଆଚ୍ଛନ୍ନ କରି କ୍ରମଶଃ ଲଘୁଚାପରେ ପରିଣିତ ହୋଇ ଓ ପରବର୍ତ୍ତୀ ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ ପାଲଟିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.