fbpx

ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ

ଓଡିଶା ଭାସ୍କର: ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍‌ ବେଗରେ ପ୍ରବାହିତ ବତାସ ଓ ପ୍ରବଳ ବର୍ଷା ସହିତ ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୋର୍‌ ଓ ମଛିଲିପଟନମ୍‌ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଯାହା ଫଳରେ ଡିସେମ୍ବର ୪ ତାରିଖ ଦିନ ଦକ୍ଷିଣ ଉପକୂଳ ଓ ତତ୍‌ସଂଲଗ୍ନ ଦକ୍ଷିଣ ଅଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ।

ଅନ୍ୟପଟେ ଡିସେମ୍ବର ୫ ତାରିଖରେ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟରେ ପ୍ରବଳ ବର୍ଷା ଏବଂ କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି। ଅନ୍ୟପଟେ ଏଥିଲାଗି କୃଷି ବିଭାଗ ପକ୍ଷରୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଆଦି ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ କୃଷି ବିଭାଗ ଚିଠି ଲେଖିଛି। ଏଥିରେ ଡିସେମ୍ବର ୩ରୁ ୬ ତାରିଖ ଯାଏଁ ଛୁଟି ବାତିଲ ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ। ସେହିପରି ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛି କୃଷି ବିଭାଗ। ୪ ତାରିଖ ପୂର୍ବରୁ ବିଭିନ୍ନ ଫସଲ ଅମଳ କରିନେବା ଲାଗି ଚାଷୀଙ୍କୁ ବି ପରାମର୍ଶ ଦିଆଯାଇଛି।

Get real time updates directly on you device, subscribe now.