ନୂଆଦିଲ୍ଲୀ- ଆୟକର ବା ଇନକମ ଟାକ୍ସ ପଇଠକୁ ନେଇ ଆସିଛି ନୂଆ ତଥ୍ୟ । ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଟାକ୍ସ ଦେଉଛନ୍ତି । ମହିଳା ଆୟକର ଦାତାଙ୍କ ସଂଖ୍ୟାରେ ମଧ୍ୟ ଅଭିବୃଦ୍ଧି ଘଟୁଥିବା ଜଣାପଡିଛି । ୨୦୨୩-୨୪ରେ ୨.୨୯ କୋଟି ମହିଳା ଟାକ୍ସ ରିଟର୍ନ ଫାଇଲ କରିଛନ୍ତି, ଯାହା ୨୦୧୯-୨୦ରେ ୧.୮୩ କୋଟି ଥିଲା । ବିଗତ ୫ ବର୍ଷରେ ମହିଳା ଆୟକରଦାତାଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧିପାଇଛି ।
ଅର୍ଥମନ୍ତ୍ରଣାଳୟ ଡାଟା ମୁତାବକ, ମହାରାଷ୍ଟ୍ରରେ ଆଇଟିଆର ଜମା କରିଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ୨୦୧୯-୨୦ ବର୍ଷରେ ମହିଳାଙ୍କ ସଂଖ୍ୟା ୨୯.୯୪ ଲକ୍ଷ ଥିବା ବେଳେ ୨୩ ପ୍ରତିଶତ ବୃଦ୍ଧିପାଇ ୨୦୨୩-୨୪ରେ ଏହି ସଂଖ୍ୟା ୩୬.୮୩ ଲକ୍ଷରେ ପହଞ୍ଚିଛି । ଉତ୍ତର ପ୍ରଦେଶରେ ଆସେସମେଣ୍ଟ ଇୟର ୨୦୧୯-୨୦ରେ ୧୫.୮୧ ଲକ୍ଷ ମହିଳା ଇନକମଟାକ୍ସ ଜମା କରିଥିବା ବେଳେ ୨୦୨୩-୨୪ରେ ୨୯ ପ୍ରତିଶତ ବୃଦ୍ଧିପାଇ ୨୦.୪୩ ଲକ୍ଷ ହୋଇଛି । ସବୁ ରାଜ୍ୟରେ ମହିଳା ଟାକ୍ସ ପେୟରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ରିପୋର୍ଟରୁ ଜଣାପଡିଛି ।
ତେବେ ଦେଶରେ ମହିଳା ଟାକ୍ସ ପେୟରଙ୍କ ସଂଖ୍ୟା ସବୁଠାରୁ ବେଶ ମହାରାଷ୍ଟ୍ରରେ ଥିବା ବେଳେ ତା ତଳକୁ ଆସୁଛି ଗୁଜରାଟ, ତା ପରେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ ରହିଛି । ଚଣ୍ଡାଗଡରେ ଏହି ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ୨୦୧୯-୨୦ରେ ମହିଳାଙ୍କ ଦ୍ୱାରା ଫାଇଲ ଆଇଟିଆର ୮୯,୮୭୩ ହୋଇଥିବା ବେଳେ ୨୦୨୩-୨୪ରେ ଏହା ୮୮,୧୧୫କୁ ଖସିଆସିଛି । ହେଲେ ସାରା ଦେଶରେ ମୋଟ ଆଇଟିଆର ସଂଖ୍ୟାରେ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହା ୨୦୧୯-୨୦ ତୁଳନାରେ ୨୩-୨୪ରେ ୬.୭୭ ବୃଦ୍ଧି କରିଛି ।