fbpx

ହିଜାବ ମାମଲା: ପ୍ରଦର୍ଶନକାରୀଙ୍କୁ ଆଉ ଏକ ଝଟକା, ପୁନର୍ବାର ହେବ ନାହିଁ ଦ୍ଵାଦଶ ବୋର୍ଡ ପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ମାମଲାକୁ ନେଇ ପରୀକ୍ଷା ବହିଷ୍କାର କରି ବିରୋଧ ପ୍ରଦର୍ଶନରେ ସାମିଲ୍ ଛାତ୍ରୀମାନଙ୍କୁ ଲାଗିଲା ଜୋରଦାର ଝଟକା। ସରକାର ଏମିତି ଛାତ୍ରୀମାନଙ୍କୁ ପ୍ରାକ୍ଟିକଲ ପରୀକ୍ଷା ପାଇଁ ଦ୍ଵିତୀୟ ଥର ସୁଯୋଗ ଦେବାକୁ ମନା କରି ଦେଇଛନ୍ତି। ରାଜ୍ୟର ପିୟୁ ୨ର ଶତାଧିକ ଛାତ୍ର ବିରୋଧ ପ୍ରଦର୍ଶନରେ ସାମିଲ୍ ହୋଇଥିଲେ। ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ପିନ୍ଧିବା ରାଜ୍ୟ ସରକାରଙ୍କ ଆଦେଶକୁ କାଏମ ରଖିଥିଲେ।

କର୍ଣ୍ଣାଟକରେ ଦ୍ଵାଦଶ ଶ୍ରେଣୀକୁ ପିୟୁ ୨ କୁହାଯାଏ। ବଡ କଥା ସରକାର ଦୁଇ ଦିନ ପୂର୍ବେ ପୁନର୍ବାର ପରୀକ୍ଷା କରାଇବାକୁ ସଙ୍କେତ ଦେଇଥିଲେ। କିନ୍ତୁ ରବିବାର ସରକାର ପ୍ରାକ୍ଟିକଲ ପରୀକ୍ଷାରେ ଅନୁପସ୍ଥିତ ଥିବା ଛାତ୍ର-ଛାତ୍ରୀଙ୍କ ପାଇଁ ପୁନର୍ବାର ପରୀକ୍ଷା ଦେବା ବିକଳ୍ପ ହଟାଇ ଦେଇଛନ୍ତି। ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ କହିଛନ୍ତି, ଏହାର ସମ୍ଭାବନା ଉପରେ ମଧ୍ୟ ଆମେ ବିଚାର କରିବୁ ନାହିଁ।

ସେ କହିଛନ୍ତି, ହାଇକୋର୍ଟଙ୍କ ଆଦେଶ ପରେ ଯେଉଁ ଛାତ୍ରୀମାନେ ହିଜାବ ପିନ୍ଧିବାକୁ ଅନୁମତି ନମିଳିବାରୁ ପ୍ରାକ୍ଟିକଲ ପରୀକ୍ଷା ବହିଷ୍କାର କଲେ, ସେହି ଛାତ୍ରୀମାନଙ୍କୁ ଯଦି ପୁଣି ଥରେ ପରୀକ୍ଷା ଦେବାକୁ ଅନୁମତି ଦେଉ ତେବେ ଅନ୍ୟ ଛାତ୍ର-ଛାତ୍ରୀମାନେ ଅନ୍ୟ କିଛି କାରଣ ନେଇକି ଆସିବେ ଏବଂ ପୁନର୍ବାର ପରୀକ୍ଷା ଦେବାକୁ ଦାବି କରିବେ। ଏମିତି ହୋଇ ପାରିବ ନାହିଁ। ଦ୍ଵାଦଶ ବୋର୍ଡ ପରୀକ୍ଷାରେ ପ୍ରାକ୍ଟିକଲ ୩୦ ଏବଂ ଥିଓରୀ ୭୦ ମାର୍କ ରହିଥାଏ।

 

Get real time updates directly on you device, subscribe now.