fbpx

ଇସ୍ତଫା ଦେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ସୁଖବିନ୍ଦର ସିଂହ ସୁଖୁ

Advertisement

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନରେ ୬ ଜଣ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ପରେ ହିମାଚଳ ପ୍ରଦେଶରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆଜି ରାଜ୍ୟ କ୍ୟାବିନେଟରୁ ଜଣେ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେବାରେ ଲାଗିଛି । ଏନେଇ କିଛି ରିପୋର୍ଟ ପ୍ରକାଶ ପାଇଥିଲା ।

ତେବେ ଏହା ମଧ୍ୟରେ ନିଜର ଇସ୍ତଫାକୁ ନେଇ ସାମ୍ନାକୁ ଆସିଛନ୍ତି ସୁଖୁ । ମୁଖ୍ୟମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏଥିସହିତ କିଛି ବିଜେପି ବିଧାୟକ ତାଙ୍କ ସମ୍ପର୍କରେ ରହିଥିବା ସେ କହିଛନ୍ତି । ରାଜ୍ୟ ବିଧାନସଭାରେ ସେ ବହୁମତ ହାସଲ କରିବେ । ରାଜ୍ୟରେ କଂଗ୍ରେସ ସରକର ୫ ବର୍ଷ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଡ଼ା ନିଷ୍ପତ୍ତି ନେବାରେ ବିଜେପି ପଛକୁ ହଟିବ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କଂଗ୍ରେସର ୪୦ ଜଣ ବିଧାୟକ ରହିଥିବା ବେଳେ ବିଜେପିରେ ମାତ୍ର ୨୫ ଜଣ ବିଧାୟକ ରହିଥିଲେ । ମାତ୍ର ଫଳାଫଳ ବେଳକୁ ସବୁ ଓଲଟପାଲଟ ହୋଇଯାଇଥିଲା । ବିଜେପି ପ୍ରାର୍ଥୀ ହର୍ଷ ମହାଜନ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଙ୍ଘଭୀ ପରାସ୍ତ ହୋଇଥିଲେ । ୬ ଜଣ କଂଗ୍ରେସ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକ କ୍ରସ ଭୋଟିଂ କରିବା ଯୋଗୁଁ ଭୋଟ ଅନୁପାତ ୩୪-୩୪ରେ ଟାଇ ରହିଥିଲା । ଏହାପରେ ପର୍ଚି ପକାଇବାରୁ ସେଥିରେ ବିଜେପି ବିଜୟୀ ହୋଇଥିଲା ।

Get real time updates directly on you device, subscribe now.