fbpx

ହିଣ୍ଡେନବର୍ଗର ନୂଆ ରିପୋର୍ଟ: SEBI ଅଧ୍ୟକ୍ଷା ଓ ଅଦାନୀ ଗ୍ରୁପ ମଧ୍ୟରେ ଲିଙ୍କ ଥିବା ନେଇ ଦାବି!

ନୂଆଦିଲ୍ଲୀ: ଆମେରିକୀୟ ଶର୍ଟ ସେଲର ଫାର୍ମ ହିଣ୍ଡେନବର୍ଗ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି । ଏହା ମଧ୍ୟରେ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରିଛି । ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ଓ ଅଦାନୀ ଗ୍ରୁପ ମଧ୍ୟରେ ଲିଙ୍କ ରହିଥିବା ଉକ୍ତ ରିପୋର୍ଟରେ ଖୁଲାସା କରାଯାଇଛି । ଏହା ପୂର୍ବରୁ ଗତ ୧୦ ତାରିଖ ଦିନ ହିଣ୍ଡେନବର୍ଗ ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ସୂଚନା ଜାରି କରାଯାଇଥିଲା । ‘ଭାରତରେ ଖୁବଶୀଘ୍ର କିଛି ବଡ଼ ହେବାକୁ ଯାଉଛି’ ବୋଲି ସେଥିରେ ଉଲ୍ଲେଖ କରାଯାଇଥିଲା । ଗତ ୨୦୨୩ ମସିହା ଜାନୁଆରୀ ୨୪ ତାରିଖରେ ହିଣ୍ଡେନବର୍ଗ ପକ୍ଷରୁ ରିପୋର୍ଟ ଜାରି ହେବା ପରେ ଦେଶର ଅନ୍ୟତମ ଧନୀବ୍ୟକ୍ତି ତଥା ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀଙ୍କ ବିଶାଳ ସାମ୍ରାଜ୍ୟକୁ ଲାଗିଥିଲା ଏକ ଶକ୍ତ ଝଟକା । ତେଣୁ ଆମେରିକୀୟ ଶର୍ଟ ସେସଲର ଫାର୍ମ ପୁଣି କିଛି ବଡ଼ ଖୁଲାସା କରିପାରେ ବୋଲି ଆଶଙ୍କା କରାଯାଉଥିଲା ।

ହିଣ୍ଡେନବର୍ଗ ରିପୋର୍ଟରେ କୁହାଯାଇଛି, ଅଦାନୀ ମନୀ ସାଇଫନିଂ ସ୍କାଣ୍ଡାଲରେ ଯେଉଁ ଅଫଶୋର ସଂସ୍ଥାଗୁଡ଼ିକୁ ବ୍ୟବହାର କରାଯାଇଥିଲା ସେଥିରେ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚଙ୍କ ଅଂଶଧନ ରହିଥିଲା । ହ୍ୱିସଲବ୍ଲୋଅରରୁ ମିଳିଥିବା ଡକ୍ୟୁମେଣ୍ଟର ଏହା ଜଣାପଡ଼ିଛି । ମାଧବୀ ବୁଚ ଓ ତାଙ୍କ ପତି ଧବଲ ବୁଚ ୨୦୧୫ ମସିହା ଜୁନ ୫ରେ ସିଙ୍ଗାପୁରରେ ଆଇପିଈ ପ୍ଲସ ଫଣ୍ଡ ୧ ସହିତ ନିଜର ଖାତା ଖୋଲିଥିଲେ । ନିବେଶର ସ୍ରୋତ ସାଲାରୀ ଅଟେ ଓ ଦମ୍ପତ୍ତିଙ୍କ ମୋଟ ନିବେଶ ୧୦ ମିଲିୟନ ଡଲାର ବୋଲି ଆକଳନ କରାଯାଇଥିବା ଆଈଆଈଏଫଏଲର ଜଣେ ପ୍ରିନ୍ସପାଲଙ୍କ ହସ୍ତାକ୍ଷର ରହିଥିବା ଫଣ୍ଡର ଘୋଷଣାରେ କୁହାଯାଇଥିଲା ।

ଅଫଶୋର ମରିଶସ ଫଣ୍ଡର ସ୍ଥାପନା ଇଣ୍ଡିଆ ଇନଫୋଲାଇନ ମାଧ୍ୟମରେ ଅଦାନୀ ଗ୍ରୁପର ଜଣେ ନିର୍ଦ୍ଦେଶକ କରିଥିଲେ ଓ ତାହା ଟ୍ୟାକ୍ସ ହେବନ ମରିଶସରେ ପଞ୍ଜିକୃତ ହୋଇଥିବା ହିଣ୍ଡେନବର୍ଗ ପକ୍ଷରୁ ଅଭିଯୋଗ ଅଣାଯାଇଛି । ନିୟାମକ ପକ୍ଷରୁ ହସ୍ତକ୍ଷେପର ଆଶଙ୍କା ପରେ ବି ଅଦାନୀ ଗ୍ରୁପ ପୂରା ବିଶ୍ୱାସର ସହିତ ନିଜର କାମ ଜାରି ରଖିଥିଲା । ତେଣୁ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ଓ ଅଦାନୀ ଗ୍ରୁପ ମଧ୍ୟରେ କୌଣସି ସମ୍ବନ୍ଧ ରହିଥିବା ବୁଝିବାକୁ ପଡ଼ିବ । ସୂଚନାଯୋଗ୍ୟ ଯେ, ଗତବର୍ଷ ଜାନୁଆରୀରେ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଚକିତ କଲା ଭଳି ରିପୋର୍ଟ ଜାରି ହେବା ପରେ ଅଦାନୀ ଗ୍ରୁପର ଶେୟାର ପାଖାପାଖି ୮୬ ବିଲିୟନ ଡଲାର ହ୍ରାସ ଘଟିଥିଲା ।

ଅନ୍ୟପକ୍ଷରେ ହିଣ୍ଡେନବର୍ଗର ଅଭିଯୋଗକୁ ନେଇ ସେବି ଅଧ୍ୟକ୍ଷା ଓ ତାଙ୍କ ପତି ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ । ସେମାନଙ୍କର ଫାଇନାନ୍ସ ହେଉଛି ଏକ ଖୋଲା ବହି । ହିଣ୍ଡେନବର୍ଗ ବିରୋଧରେ ସେବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଓ କାରଣ ଦର୍ଶାଅ ନୋଟିସ ଜାରି କରିଛି । ତା’ର ଜବାବରେ ହିଣ୍ଡେନବର୍ଗ ଚରିତ୍ର ହରଣ କରିବାର ବିକଳ୍ପକୁ ବାଛିଛି । ଅଗଷ୍ଟ ୧୦ରେ ଆମ ବିରୋଧରେ ହିଣ୍ଡେନବର୍ଗ ଯେଉଁ ରିପୋର୍ଟ ଜାରି କରିଛି ତାହା ନିରାଧାର ଓ ଅଭିଯୋଗକୁ ଆମେ ଦୃଢ଼ତାର ସହ ଖଣ୍ଡନ କରୁଛୁ ବୋଲି ମାଧବୀ ବୁଚ କହିଛନ୍ତି । ଏଥିସହିତ ପୂର୍ଣ୍ଣ ପାରଦର୍ଶିତତା ହିତରେ ଆମେ ଯଥା ସମୟରେ ଏକ ଡିଟେଲ୍ସ ରିପୋର୍ଟ ଜାରି କରିବୁ ବୋଲି ମାଧବୀ କହିଛନ୍ତି ।

Get real time updates directly on you device, subscribe now.