fbpx

ସରିଲା ‘Jersey No. 16’ର ହକି ଯାତ୍ରା: ଇଣ୍ଡିଆନ୍ ହକିରୁ ବିଦାୟ ନେଲା ଶ୍ରୀଜେଶଙ୍କ ଜର୍ସି

ନୂଆଦିଲ୍ଲୀ: ଭାରତୀୟ ହକି ଦଳର ଷ୍ଟାର ଗୋଲ୍ କିପର୍ ପି.ଆର. ଶ୍ରୀଜେଶଙ୍କୁ ମିଳିଛି ଏକ ବଡ଼ ସମ୍ମାନ । ହକି ଇଣ୍ଡିଆ ତରଫରୁ ଶ୍ରୀଜେଶଙ୍କୁ ଏକ ମହାନ୍ ସମ୍ମାନରେ ସମ୍ମାନିତ କରାଯାଇଛି । ଭାରତୀୟ ହକିରୁ ସବୁ ଦିନ ପାଇଁ ଶ୍ରୀଜେଶଙ୍କ ୧୬ ନମ୍ବର ଜର୍ସିକୁ ଅବସର ପ୍ରଦାନ କରିଛି ହକି ଇଣ୍ଡିଆ । ଭବିଷ୍ୟତରେ କୌଣସି କେଳାଳିଙ୍କୁ ୧୬ ନମ୍ବର ଜର୍ସି ପିନ୍ଧିବା ପାଇଁ ଅନୁମତି ମିଳିପାରିବ ନାହିଁ । ଭାରତ ପାଇଁ ୨ଟି ଅଲିମ୍ପିକ ପଦକ ହାସଲ କରିଥିବା ଶ୍ରୀଜେଶ ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟପଦକ ସହ ହକି ଦଳରୁ ଅବସର ନେଇଛନ୍ତି । ଟିମ ଇଣ୍ଡିଆ ପାଇଁ ଶ୍ରୀଜେଶ ଅବଦାନକୁ ସମ୍ମାନ ଜଣାଇ ହକି ଇଣ୍ଡିଆ ୧୬ ନମ୍ବର ଜର୍ସିକୁ ମଧ୍ୟ ଅବସର ଘୋଷଣା କରିଛି ।

ଟିମ ଇଣ୍ଡିଆର ଭେଟେରାନ୍ ଗୋଲ୍ କିପର୍ ପି.ଆର ଶ୍ରୀଜେଶଙ୍କ ଜର୍ସି ନମ୍ବର ୧୬କୁ ରିଟାୟାର କରିବା ପାଇଁ ନିଷ୍ପତ୍ତି ନେଇଛି ହକି ଇଣ୍ଡିଆ । ନିକଟରେ ଶେଷ ହୋଇଥିବା ପ୍ୟାରିସ ଅଲିମ୍ପିକ୍ସରେ ଦେଶକୁ ଲଗାତାର ଦ୍ୱିତୀୟ ଅଲିମ୍ପିକ୍ସ କାଂସ୍ୟ ପଦକ ଭେଟି ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଗୋଲକିପର ପି.ଆର ଶ୍ରୀଜେଶ । ଏହାସହିତ ହକି ଇଣ୍ଡିଆର ମହାସଚିବ ଭେଳାନାଥ ସିଂହ ଶ୍ରୀଜେଶଙ୍କ ଭବିଷ୍ୟତକୁ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୨ ଦଶକ ପର୍ଯ୍ୟନ୍ତ ୧୬ ନମ୍ବରର ଜର୍ସି ପିନ୍ଧୁଥିବା ଶ୍ରୀଜେଶ ଜୁନିୟର ରାଷ୍ଟ୍ରୀୟ କୋଚ୍ ଭୂମିକାରେ ରହିବେ ।

ଶ୍ରୀଜେଶଙ୍କୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ ସଭାରେ ଭୋଳାନାଥ କହିଛନ୍ତି ଯେ, ଶ୍ରୀଜେଶ ବର୍ତ୍ତମାନ ଜୁନିୟର ହକି ଦଳର କୋଚ୍ ଦାୟିତ୍ୱ ନେବାକୁ ଯାଉଛନ୍ତି । ତେବେ ସିନିୟର ଦଳ ପାଇଁ ୧୬ ନମ୍ବର ଜର୍ସିକୁ ରିଟାୟାର କରାଯାଉଛି । କିନ୍ତୁ ଜୁନିୟର ଦଳ ପାଇଁ ୧୬ ନମ୍ବର ଜର୍ସି ଉପଲବ୍ଧ ରହିବ । ଜୁନିୟର ଦଳରେ ଶ୍ରୀଜେଶ ତାଙ୍କ ଉତ୍ତରାଧିକାରୀ ବା ଆଉ ଜଣେ ଶ୍ରୀଜେଶଙ୍କୁ ପ୍ରସ୍ତୁତ କରିବେ । ତେବେ ଶ୍ରୀଜେଶ ନିଜ ଭଳି ଜଣେ ଖେଳାଳିଙ୍କୁ ପ୍ରସ୍ତୁତ କରିବେ ଏବଂ ସେ ୧୬ ନମ୍ବର ଜର୍ସି ପିନ୍ଧିବେ ବୋଲି କହିଛନ୍ତି ଭୋଳାନାଥ ସିଂହ ।

Get real time updates directly on you device, subscribe now.