Breaking: ଟ୍ୱିନ ସିଟିରେ ୭ଟି ସ୍ପଟ ଚିହ୍ନଟ, ହୋଲି ପାଇଁ ସତର୍କତା

ଭୁବନେଶ୍ୱର ଓ କଟକରେ ମୁତୟନ ହେବେ ସ୍ୱତନ୍ତ୍ର ଟିମ୍। ଟ୍ୱିନ ସିଟିରେ ୭ଟି ସ୍ପଟ ଚିହ୍ନଟ। ହୋଲି ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି।

ଭୁବନେଶ୍ୱର: ରାତି ପାହିଲେ ରଙ୍ଗର ପର୍ବ ହୋଲି। ସମସ୍ତେ ରଙ୍ଗ ଖେଲିବା ପାଇଁ ପୁରା ଉତ୍ସାହର ସହ ଚାହିଁ ରହିଛନ୍ତି। ହେଲେ ଏହି ଖୁସିର ପର୍ବ ହୋଲି ଯେପରି ଆଉ କାହା ପାଇଁ ଦୁଃଥ ନେଇ ନ ଆସୁ ସେଥିପାଇଁ ଅଧିକ ସତର୍କତା ଅବଲମ୍ୱନ କରାଯାଇଛି।

ବିଶେଷ କରି ଟ୍ୱିନସିଟିରେ। କାରଣ କଟକ ଏବଂ ଭୁବନେଶ୍ୱରରେ ପ୍ରତିବର୍ଷ ହୋଲିରେ ଗାଧୁଆ ତୁଠରେ ଅଘଟଣ ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି। ହୋଲି ପାଇଁ ଟ୍ୱିନ ସିଟିରେ ୭ଟି ସ୍ପଟ ଚିହ୍ନଟ କରାଯାଇଛି।

ଏଥାପଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି ମଧ୍ୟ ହୋଇଛି। କଟକ ଓ ଭୁବନେଶ୍ୱରର ୭ଟି ସ୍ଥାନରେ ସ୍ୱତନ୍ତ୍ର ଟିମ୍ ମୁତୟନ ହେବେ। ଭୁବନେଶ୍ୱରର ବାଙ୍କୁଆଳ,କୁଆଖାଇ,ପୁରୀ କେନାଲ, ବାଲିଅନ୍ତା ସାଇଫନ୍ ଭଳି ସ୍ଥାନରେ ମୁତୟନ ହେବେ ସ୍ୱତନ୍ତ୍ର ଟିମ୍।

ଠିକ୍ ସେହିପରି କଟକର ଯୋବ୍ରା, ଦେବୀଗଡ, ଗଡ଼ଖାଇ ଘାଟରେ ମଧ୍ୟ ମୁତୟନ ହେବେ ସ୍ୱତନ୍ତ୍ର ଟିମ୍। ଷ୍ଟ୍ରାଇକିଙ୍ଗ ଫୋର୍ସ ସହ ଅତ୍ୟାଧୁନିକ ଯନ୍ତ୍ରାଂଶର ମଧ୍ୟ ବ୍ୟବହାର ହେବ। ସ୍କୁବା ଡାଇଭର, ପାଓ୍ୱାର ବୋଟ୍ ବ୍ୟବହୃତ ହେବା ନେଇ ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି। କୌଣସି ସୁବିଧା ଅସୁବିଧା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଓ ୪୦୦ରୁ ଉର୍ଦ୍ଧ୍ୱ ଅଧିକାରୀଙ୍କ ବ୍ୟବସ୍ଥା ରହିଛି।