ନୂଆଦିଲ୍ଲୀ: ଖଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ ବର୍ତ୍ତମାନ ସମୟରେ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ଉଗ୍ର ହେବାରେ ଲାଗିଛି । ଖଲିସ୍ତାନୀ ନେତା ହାର୍ଦ୍ଦିକ ସିଂହ ନିଜାରଙ୍କୁ ଗୁଳି କରି ହତ୍ୟା ପରେ ଉକ୍ତ ହତ୍ୟାକାଣ୍ଡରେ ଭାରତର ହାତ ରହିଥିବା ନେଇ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଥିଲେ । ଏହିଠାରୁ ହିଁ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ତେବେ ଏହା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି ।
ଆତଙ୍କବାଦ ନିରୋଧୀ ସଂସ୍ଥା ଜାତୀୟ ଅନୁସନ୍ଧାନ ସଂସ୍ଥା (ନିଆ)କୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି କ୍ରମରେ ଗୋଟିଏ ଅତିରିକ୍ତ ମହାନିର୍ଦ୍ଦେଶ (ଏଡିଜି) ଓ ୬ଟି ଇନ୍ସପେକ୍ଟର ଜେନେରାଲ (ଆଇଜି) ପଦ ସୃଷ୍ଟି ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି । ଗ୍ୟାଙ୍ଗଷ୍ଟର ଓ ଖଲିସ୍ତାନୀ ନେଟୱାର୍କ ସହ ଜଡ଼ିତ ମାମଲାର ଯାଞ୍ଚ ମଧ୍ୟ ନିଆ କରୁଛି ।
ଅଫିସ ସୂତ୍ର ମୁତାବକ, ୨୦୨୧ ଓ ୨୦୨୨ରେ ଏହି ପଦଗୁଡ଼ିକ ସୃଷ୍ଟି ନେଇ ନିଆ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗୋଟିଏ ଏଡିଜି ଓ ୬ଟି ଆଜି ପଦ ସୃଷ୍ଟିକୁ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି । ନିଆକୁ ଅଧିକ ଶକ୍ତି ମିଳିବା ଲକ୍ଷ୍ୟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଉଚ୍ଚସ୍ତରୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ନିଆରେ ୪ ଜଣ ଆଇଜି ରିହଥିବା ବେଳେ ସେମାନେ ଆତଙ୍କବାଦୀ ଅର୍ଥଯୋଗାଣ, ଉତ୍ତର-ପୂର୍ବ, ଅନୁସନ୍ଧାନ, ପଲିସୀକୁ ଡିଲ୍ କରୁଛନ୍ତି । ପ୍ରତ୍ୟେକ ଅଧିକାରୀଙ୍କ ଟିମରେ ଅତିକମରେ ଦୁଇଜଣ ଡିଆଇଜି ଓ ୪ ଜଣ ଏସପି ରହିଛନ୍ତି । ସେମାନେ ସମସ୍ତେ ଏଡିଜିଙ୍କୁ ରିପୋର୍ଟ କରୁଛନ୍ତି, ଯେ କି ଡିଜିକୁ ରିପୋର୍ଟ କରୁଛନ୍ତି ।