ନୂଆଦିଲ୍ଳୀ: ଦୁଇଟି ଭିନ୍ନ ରାଜ୍ୟର ସୀମା ମଧ୍ୟରେ ଗୋଟିଏ ଘର ଥିବ ଆପଣ ଏହା କେବେ କଳ୍ପନା କରିଛନ୍ତି କି? କିନ୍ତୁ ଏମିତି ଏକ ପରିବାର ଅଛି ଯେଉଁ ପରିବାରର ସଦସ୍ୟମାନେ ଏପରି ଏକ ଘରେ ରହୁଛନ୍ତି ଯାହା ଦୁଇଟି ରାଜ୍ୟର ସୀମା ମଧ୍ୟରେ ଅବସ୍ଥିତ । ତେବେ ଚନ୍ଦ୍ରପୁର ଜିଲ୍ଲାର ମହାରାଜାଗୁଡା ଗାଁର ପୱାର ପରିବାର ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ଉଭୟ ରାଜ୍ୟରେ ରହୁଛନ୍ତି । ୧୩ ସଦସ୍ୟ ବିଶିଷ୍ଟ ପୱାର ପରିବାର ଦୁଇଟି ରାଜ୍ୟ ମଧ୍ୟରେ ରହୁଛନ୍ତି । ଉଭୟ ରାଜ୍ୟ ମହାରାଷ୍ଟ୍ର-ତେଲେଙ୍ଗାନା ସୀମାରେ ଲାଗିଥିବା ୧୪ ଟି ଗାଁକୁ ନିଜର ବୋଲି ଦାବି କରିଛନ୍ତି ।
ଏହି ପରିବାର ଉଭୟ ରାଜ୍ୟର କଲ୍ୟାଣ କାର୍ଯ୍ୟକ୍ରମରୁ ଉପକୃତ ହୁଅନ୍ତି ଏବଂ ମହାରାଷ୍ଟ୍ର ଏବଂ ତେଲେଙ୍ଗାନାର ରେଜିଷ୍ଟ୍ରେସନ୍ ପ୍ଲେଟ୍ ସହିତ ଯାନବାହାନର ମାଲିକ ବୋଲି ଜଣା ପଡ଼ିଛି । ସେମାନେ ଉଭୟ ରାଜ୍ୟକୁ ମଧ୍ୟ ଟ୍ୟାକ୍ସ ଦିଅନ୍ତି । ତେବେ ମହାରାଜଗୁଡା ଗ୍ରାମରେ ଥିବା ତାଙ୍କର ୧୦ ରୁମ୍ ବିଶିଷ୍ଟ ଘରର ଚାରିଟି କୋଠରୀ ତେଲେଙ୍ଗାନାରେ ଏବଂ ଚାରିଟି କୋଠରୀ ମହାରାଷ୍ଟ୍ରରେ ରହିଛି । ରୋଷେଇ ଘର ତେଲେଙ୍ଗାନାରେ ରହିଥିବାବେଳେ ଶୋଇବା ଘର ଏବଂ ହଲ୍ ମହାରାଷ୍ଟ୍ରରେ ଅବସ୍ଥିତ । ପରିବାରର ସମସ୍ତ ସଦସ୍ୟ ଏହି ଘରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି ।
ଘରର ମାଲିକ ଉତ୍ତମ ପୱାର କହିଛନ୍ତି, ‘ଆମ ଘର ମହାରାଷ୍ଟ୍ର ଏବଂ ତେଲେଙ୍ଗାନା ମଧ୍ୟରେ ବାଣ୍ଟି ହୋଇ ରହିଛି କିନ୍ତୁ ଆଜି ପର୍ଯ୍ୟନ୍ତ ଆମର ଏଥିରେ କୌଣସି ଅସୁବିଧା ହୋଇ ନାହିଁ, ଆମେ ଉଭୟ ରାଜ୍ୟକୁ ଟ୍ୟାକ୍ସ ଦେଇଥାଉ ଏବଂ ଉଭୟ ରାଜ୍ୟରୁ ମିଳୁଥିବା ଯୋଜନାର ଲାଭ ପାଇଥାଉ । ୧୯୬୯ ମସିହାରେ ଯେତେବେଳେ ସୀମା ବିବାଦର ସମାଧାନ ହୋଇଥିଲା, ପୱାର ପରିବାରର ଜମି ଦୁଇଟି ରାଜ୍ୟରେ ବିଭକ୍ତ ହୋଇଥିଲା । ପରେ ଘର ମଧ୍ୟ ବିଭାଜିତ ହେଲା ।