fbpx

ନିର୍ମାଣ ପରେ କେମିତି ଦେଖାଯିବ ରାମଲଲାଙ୍କ ରାମ ମନ୍ଦିର, ଟ୍ରଷ୍ଟ ଜାରି କଲା ନୂତନ ଫଟୋ

Advertisement

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟାରେ ଭଗବାନ ରାମଲଲାଙ୍କ ଭବ୍ୟ ମନ୍ଦିରର ନିର୍ମାଣ ଦ୍ରୁତ ବେଗରେ ଆଗେଇ ଚାଲିଛି। ମନ୍ଦିର ନିର୍ମାଣରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର କରାଯାଉଛି। ମନ୍ଦିରର ପ୍ରତିଟି ଜିନିଷକୁ ବହୁତ ଖାସ୍ ଏବଂ ଭବ୍ୟତାର ସହ ସୁଶୋଭିତ କରିବାକୁ ଉଦ୍ୟମ ଜାରି ରହିଛି। ରାମଲଲାଙ୍କ ମନ୍ଦିରରେ ଲାଗିବାକୁ ଥିବା ବିଜୟ ପତାକାକୁ ୧୦ରୁ ୧୫ କ୍ଵିଣ୍ଟାଲ ଓଜନର ସ୍ତମ୍ଭ ଉପରେ ଲଗାଯିବ। ମନ୍ଦିରର ପୃଷ୍ଠଭୂମିରୁ ୧୬୧ ଫୁଟ୍ ଉଚ୍ଚରେ ଉଡିବ ଏହି ପତାକା। ଯେବେ ରାମ ମନ୍ଦିର ନିର୍ମାଣ ହୋଇ ପ୍ରସ୍ତୁତ ହୋଇଯିବ ତେବେ କେମିତି ଦେଖାଯିବ, ଏ ନେଇ ଟ୍ରଷ୍ଟ ପକ୍ଷରୁ ମନ୍ଦିରର ଆନିମେସନ ଫଟୋ ଦିଆଯାଇଛି।

ସୁପ୍ରିମକୋର୍ଟର ଆଦେଶ ପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଜୋରସୋରରେ ଚାଲିଛି। ରାମ ଜନ୍ମଭୁମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ ଅଯୋଧ୍ୟାରେ ମନ୍ଦିର ନିର୍ମାଣର ସୂଚନା ଏବଂ ଫଟୋ କ୍ରମାଗତ ଦେଇ ଆସିଛନ୍ତି। ଏହି କ୍ରମରେ ଶନିବାର ଚମ୍ପତ ରାୟ ରାମ ମନ୍ଦିରର ଆନିମେସନ ଫଟୋ ସେୟାର କରିଛନ୍ତି। ଏହି ଫଟୋରୁ ଅନୁମାନ କରାଯାଇ ପାରିବ ଯେ, ଯେବେ ୨୦୨୩ ଶେଷ ସୁଦ୍ଧା ମନ୍ଦିର ନିର୍ମାଣ କାମ ସରିଯିବ ଏହା କେତେ ଭବ୍ୟ ଏବଂ ଆକର୍ଷକ ହେବ।ମନ୍ଦିରର ମୁଖ୍ୟ ଶିଖରରୁ ପୂର୍ବ ଦିଗରେ ଆଗକୁ ତିନି ମଣ୍ଡପ ରହିବ ଅର୍ଥାତ ୩ ଛୋଟ ଶିଖର ରହିବ। ଏହାକୁ ଗୁଣ ମଣ୍ଡପ, ରଙ୍ଗ ମଣ୍ଡପ ଏବଂ ନୃତ୍ୟ ମଣ୍ଡପ କୁହାଯାଏ। ମନ୍ଦିରର ପୂର୍ବ ଦିଗରେ ସିଂହଦ୍ଵାର ରହିବ। ଗୁଣ ମଣ୍ଡପର ଉଭୟ ପାର୍ଶ୍ଵରେ ଆଉ ଦୁଇଟି ମଣ୍ଡପ ତିଆରି ହେବ। ମୋଟ୍ ୫ ଶିଖର ସହିତ ମନ୍ଦିର ନିର୍ମାଣ ହେବ।

ରାମଲଲା ମନ୍ଦିରରେ ୩୯୨ ଖମ୍ବ ରହିବ। ପ୍ରତିଟି ଖମ୍ଵର ଉଚ୍ଚତା ହାରାହାରି ୨୦ ଫୁଟ୍ ରହିଛି। ଚମ୍ପତ ରାୟ କହିଛନ୍ତି ମନ୍ଦିର ନିର୍ମାଣରେ କୌଣସି ସଂଖ୍ୟା ପୂର୍ଣ୍ଣାଙ୍ଗ ରଖାଯାଇ ନାହିଁ। ଅର୍ଥାତ ନିର୍ମାଣ ସମୟରେ ଆବଶ୍ୟକ ଅନୁଯାୟୀ ସବୁ ଜିନିଷ ବ୍ୟବହାର କରାଯିବ। ମନ୍ଦିରର ଶିଖରର ଉଚ୍ଚତା ୧୬୧ ଫୁଟ୍ ରହିବ। ମନ୍ଦିର ନିର୍ମାଣରେ ନିୟୋଜିତ କାରିଗର ନିଜର ୧୬ ପିଢିରୁ ମନ୍ଦିର ନିର୍ମାଣ କରି ଆସିଛନ୍ତି। ପୁଣି ବିଶେଷଜ୍ଞଙ୍କ ଉପସ୍ଥିତିରେ ନିର୍ମାଣ କାର‌୍ୟ୍ୟ ଅଗ୍ରଗତିରେ ଚାଲିଛି। ଚମ୍ପତ ରାୟ କହିଛନ୍ତି, ଭଗବାନ ରାମଙ୍କ ମନ୍ଦିର ନିର୍ମାଣରେ ପଥର କାମ ରାତି ୧୧ଟା ଯାଏଁ ଚାଲିଥାଏ। ପର‌୍ୟ୍ୟାପ୍ତ ମାତ୍ରାରେ ଆଲୋକ ବ୍ୟବସ୍ଥା କରାଯାଇଛି।

Get real time updates directly on you device, subscribe now.