କିଏ ଭାଙ୍ଗିଲା PoKରେ ଥିବା ଚୀନର ଐତିହାସିକ ପୋଲ?: ଭିଡିଓରୁ ଜଣା ପଡିଲା ଘଟଣାର ପ୍ରକୃତ କାରଣ

ନୂଆଦିଲ୍ଲୀ: ପିଓକେର ଗିଲଗିଟ-ବାଲଟିସ୍ତାନ ଅଞ୍ଚଳରେ ଥିବା ଚୀନର ଏକ ପୋଲ ଭୁଷୁଡି ପଡିଛି । ଏହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ପୋଲ କାହିଁକି ଆଉ କିପରି ଭୁଷୁଡିଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛି ସୋଶିଆଲ ମିଡିଆର ଏହି ଭିଡିଓ । ହିମ ନଦୀରେ ବନ୍ୟା ପାଣିକୁ ସାମନା କରି ନ ପାରି ପୋଲଟି ଭୁଷୁଡି ପଡିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

କାରାକୋରମ ରାଜମାର୍ଗରେ ନିର୍ମିତ ଏହି ପୋଲ ଏକ ଐତିହାସିକ ପୋଲ ବୋଲି କୁହାଯାଏ । ତେବେ ଭୀଷଣ ଗରମ ଯୋଗୁଁ ଶିସ୍ପର ଗ୍ଲେସିୟର ଦ୍ରୁତ ଗତିରେ ତରଳୁଥିବାରୁ ହମନଦୀ ହ୍ରଦରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବନ୍ୟାର ପାଣିମାଡକୁ ସମ୍ଭାଳି ପାରିନି ଏହି ପୋଲ । ଫଳରେ ଭାଙ୍ଗି ରୁଜି ପାଣିର ସୁଅରେ ମିଶିଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏ ନେଇ ପାଣିପାଗ ବିଭାଗ ତରଫରୁ ଚେତାବନୀ ଦିଆଯାଇଥିବା କହିଛନ୍ତି ପାକିସ୍ତାନର ମନ୍ତ୍ରୀ ଶେରୀ ରହମାନ । ଗ୍ଲେସିୟରର ପ୍ରଖର ସ୍ରୋତରେ ପିଲର ଫାଟିବା ପରେ ଭାଙ୍ଗି ଯାଇଥିଲା । ତେବେ ଏହାର ବିକଳ୍ପ ଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆଉ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ପୋଲ ଦ୍ୱାରା ଚୀନକୁ ସଂଯୋଗ କରି ପାରୁଥିଲା ପିଓକେ । ଏହାବ୍ୟତୀତ ଘାଟି ଏବଂ ଉଚ୍ଚା ରାସ୍ତା ପାଇଁ ଏହା ଆକର୍ଷଣର ଏକ କେନ୍ଦ୍ରବିନ୍ଦୁ ପାଲଟିଥିଲା । କିନ୍ତୁ ଗ୍ଲେସିୟର ତରଳିବା ପରେ ଏହାର ପ୍ରଭାବରେ ପୋଲ ଭୁଷୁଡି ପଡିଛି । ସେପଟେ ବନ୍ୟା ପାଣିରେ ଅନେକ ଘର ଜଳମଗ୍ନ ହୋଇଯିବା ସହ ଚାଷ ଜମି, କେନାଲ, ଗଛ, ଜଳ ଯୋଗାଣ ଇତ୍ୟାଦି ସହ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ନଷ୍ଟ ହୋଇଯାଇଛି ।