ଫାଇଲିନ୍, ହୁଡହୁଡ୍, ଫନି ଆଉ ଏବେ ତଉକ୍ତେ; କେଉଁ ଆଧାରରେ ରଖାଯାଏ ଏହି ବାତ୍ୟା ଗୁଡିକର ନାମ, ଜାଣିବା ପଢ଼ନ୍ତୁ ପୁରା ଖବର
ନୂଆଦିଲ୍ଲୀ, ୧୫/୦୫(ଓଡିଶା ଭାସ୍କର) : ହିକାକା, ବୁଲବୁଲ୍, ଫାଇଲିନ୍, ଅମ୍ଫାନ୍, ଫନି, ନିସର୍ଗ, ନିୱାର ଏହିସବୁ ହେଉଛି ଆମ ଦେଶର ଉପକୁଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କାରୀ ବାତ୍ୟା ଗୁଡିକର ନାମ । ଏହିସବୁ ବାତ୍ୟାର ପ୍ରଭାବ ଦେଶର ଅନେକ ରାଜ୍ୟ ଉପରେ ପଡିସାରିଛି । ଆଉ ଏବେ ୨୦୨୧ର ପ୍ରଥମ ବାତ୍ୟା ଉପକୂଳ ମୁହାଁ ହୋଇଛି । ଯାହାର ନାଁ ରଖାଯାଇଛି ତଉକ୍ତେ । ଏହା ଆରବ ସାଗରରେ ସୃଷ୍ଟି ହୋଇଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କ ଉପରେ ପଡିପାରେ ତେଣୁ ସରକାର ସେସବୁକୁ ଆଲର୍ଟ ଜାରି କରିଛନ୍ତି । ତେବେ ଏହା ଭିତରେ ଲୋକମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ଏହି ବାତ୍ୟା ଗୁଡିକର ନାମ ଏପରି କାହିଁକି ରଖାଯାଉଛି ? ଆଉ କେଉଁ ଆଧାରରେ ଏହିସବୁର ନାମକରଣ କରାଯାଉଛି ? ଏହି ନାମକରଣ ପ୍ରକ୍ରିୟାରେ କେଉଁ କେଉଁ ଦେଶ ସାମିଲ ହେଉଛନ୍ତି ? ଆଉ ଭବିଷ୍ୟତରେ ଆସିବାକୁ ଯାଉଥିବା ବାତ୍ୟା ଗୁଡିକର ନାମ କଣ ରଖାଯିବ ? ଆସନ୍ତୁ ଜାଣିବା ଏହିସବୁ ପ୍ରଶ୍ନର ଉତ୍ତର ।
ପ୍ରଥମ ଥର ପାଇଁ ଆଣ୍ଟଲାଣ୍ଟିକ୍ କ୍ଷେତ୍ରରେ ବାତ୍ୟାର ନାମକରଣ ପ୍ରକ୍ରିୟା ୧୯୫୩ ମସିହାରେ ଆରମ୍ଭ କରାଯାଇଥିଲା । ସେହିପରି ଭାରତ ମହାସାଗରକୁ ଲାଗି ରହିଥିବା ଆଠଟି ଦେଶରେ ଭାରତର ଉଦ୍ୟମରେ ବାତ୍ୟା ଗୁଡିକର ନାମକରଣର ବ୍ୟବସ୍ଥା ୨୦୦୪ରେ ଆରମ୍ଭ କରାଯାଇଥିଲା । ସେହି ଆଠଟି ଦେଶ ହେଉଛି ଭାରତ, ବାଂଲାଦେଶ, ମାଲଦ୍ୱୀପ, ମିଆଁମାର୍, ଓମାନ, ପାକିସ୍ତାନ, ଥାଇଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା । ଏହି ଦେଶଗୁଡିକ ବ୍ୟତୀତ ୨୦୦୮ରେ ନାମକରଣ ପ୍ରକ୍ରିୟାରେ ଇରାନ୍, କତାର, ସାଉଦୀ ଆରବ, ୟୁଏଇ ଏବଂ ୟମନ୍ ମଧ୍ୟ ଯୋଡି ହୋଇଯାଇଥିଲେ । ଯଦି କୌଣସି ବାତ୍ୟା ଆସିବାର ସମ୍ଭାବନା ଥାଏ ସେତେବେଳେ ଏହି ୧୩ଟି ଦେଶ କ୍ରମାନୁସାରେ ୧୩ଟି ଲେଖାଏଁ ନାଁ ଦେଇଥାନ୍ତି ।
ଏହାପରେ ନାମକରଣ କରୁଥିବା ସମିତିରେ ସାମିଲ ହୋଇଥିବା ଦେଶ ମାନେ ବାତ୍ୟାର ନାଁ ଗୁଡିକର ସୁଚୀ ଦିଅନ୍ତି । ସୁଚୀରେ ଥିବା ନାମ ଗୁଡିକୁ ଆଲ୍ଫାବେଟ୍ ଅନୁସାରେ ପୁଣିଥରେ ସୁଚୀବଦ୍ଧ କରାଯାଏ । ଯେପରି ପ୍ରଥମେ ବାଂଲାଦେଶ ତାପରେ ଭାରତ ଏହିପରି ଭାବରେ ସୁଚୀବଦ୍ଧ କରାଯାଏ । ଏହାପରେ ଆଲ୍ଫାବେଟ୍ ଅନୁସାରେ ପ୍ରଥମେ ଯେଉଁ ଦେଶ ରହିଥିବ ସେହି ଦେଶ ଦେଇଥିବା ନାଁକୁ ରଖାଯାଏ । ଆଉ କ୍ରମାନୁସାରେ ଏହା ଜାରି ରହେ । ବର୍ତ୍ତମାନ ଯେଉଁ ବାତ୍ୟା ଉପକୂଳ ମୁହାଁ ହୋଇଛି ତା’ର ନାଁ ହେଉଛି ତଉକ୍ତେ । ଏହାର ନାମକରଣ କରିଛି ମିଆଁମାର । ଆଉ ଏହାପରେ ଯେଉଁ ବାତ୍ୟା ଗୁଡିକ ଆସୁଛି ସେଗୁଡିକର ସୁଚୀ ପ୍ରସ୍ତୁତ ରହିଛି । ମାଲଦ୍ୱୀପର ବୁରେବୀ, ମିଆଁମାରର ତଉକ୍ତେ, ଓମାନର ୟାସ ଏବଂ ପାକିସ୍ତାନର ଗୁଲାବ ଏହିପରି ଭାବେ ସୁଚୀବଦ୍ଧ ରହିଛି । ଆକଳନ ଅନୁସାରେ ପ୍ରତିବର୍ଷ ପ୍ରାୟ ୫ଟି ବାତ୍ୟା ଆସିବାକୁ ଥିବାରୁ ବାତ୍ୟା ଗୁଡିକର ନାଁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ସୁଚୀବଦ୍ଧ କରି ରଖାଯାଏ ।
ସୁଚନାଯୋଗ୍ୟ, ପୂର୍ବରୁ ଆସିଥିବା ବାତ୍ୟା ‘ହେଲେନ୍’ ର ନାମ ବାଂଲାଦେଶ ରଖିଥିବା ବେଳେ ‘ହୁଡହୁଡ’ର ନାଁ ଓମାନ, ‘ନିଲୋଫର୍’ ନାଁ ପାକିସ୍ତାନ, ‘ମେକୁନୁ’ର ନାଁ ମାଲଦ୍ୱୀପ ପକ୍ଷରୁ ରଖାଯାଇଥିଲା । ସେହିପରି ଆଉ ଏକ ବାତ୍ୟା ‘ତିତଲି’ର ନାମକରଣ ମଧ୍ୟ ପାକିସ୍ତାନ ହିଁ କରିଥିଲା ।