fbpx

କିଡନୀ ଫେଲ୍ ହେଲେ ମଣିଷ ପ୍ରଥମେ ଜାଣିବ କିପରି: ଲକ୍ଷଣ କ’ଣ, କେମିତି ସୁସ୍ଥ ହେବ, ଜାଣନ୍ତୁ ଡାକ୍ତରଙ୍କ ବିଶେଷ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ଭାବେ କିଡନୀ ଫେଲ୍ ସମସ୍ୟା ବଢ଼ିବାରେ ଲାଗିଛି । ଦେଶରେ ପାଖାପାଖି ୧୫ ପ୍ରତିଶତ ଲୋକ କିଡନୀ ସମ୍ପର୍କିତ କୌଣସି ସମସ୍ୟାରେ ପୀଡ଼ିତ ରହିଛନ୍ତି । ପ୍ରତିବର୍ଷ ଦେଶର ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୧୦ ଜଣ କିଡନୀ ଡ୍ୟାମେଜ୍ କାରଣରୁ ପ୍ରାଣ ହରାଉଛନ୍ତି । ବର୍ଷକ ମଧ୍ୟରେ ସାରା ଦେଶରେ ପାଖାପାଖି ୮-୧୦ ହଜାର ଲୋକଙ୍କର କିଡନୀ ପ୍ରତ୍ୟାରୋପଣ କରାଯାଇଥାଏ । ଉପଯୁକ୍ତ ଜ୍ଞାନର ଅଭାବ ଓ ଚିକିତ୍ସାର ଅଭାବ କାରଣରୁ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ୁଥିବା ଦେଖାଯାଉଛି ।

କିଡନୀ ଆମ ଶରୀରର ଏକ ମୂଲ୍ୟବାନ ଅଙ୍ଗ । ଅନେକ ସମୟରେ କୌଣସି ବ୍ୟକ୍ତିଙ୍କର କିଡନୀ ଖରାପ ହେବା ପରେ ସେ ସହାୟତା ପାଇଁ ଅନୁରୋଧ କରିଥାନ୍ତି । ତେବେ ଯଦି ଜଣଙ୍କର ଗୋଟିଏ କିଡନୀ କୌଣସି କାରଣରୁ ଖରାପ ହୋଇଯାଏ ତେବେ ସେ ଅନ୍ୟ କିଡନୀରେ ଜୀବିତ ରହିପାରନ୍ତି । ମାତ୍ର ଏପରି ସ୍ଥିତିରେ ଯଦି ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଏ, ତେବେ ମଣିଷ କ’ଣ ବଞ୍ଚି ପାରିବ? ଏ ବାବଦରେ ନୂଆଦିଲ୍ଲୀ ସ୍ଥିତ ସର ଗଙ୍ଗାରାମ ହସ୍ପିଟାଲର ୟୁରୋଲୋଜି ବିଭାଗର ବରିଷ୍ଠ କନସଲଟାଣ୍ଟ ଡା. ସୁଧୀର ଚଢଢା ସୂଚନା ଦେଇଛନ୍ତି ।

ସାଧାରଣ ଭାବେ କିଡନୀର ମୁଖ୍ୟ କାର୍ଯ୍ୟ ହେଉଛି ରକ୍ତକୁ ପରିଷ୍କାର କରିବା ଓ ମଇଳା ପଦାର୍ଥକୁ ପରିସ୍ରା ଦ୍ୱାରା ବାହାରକୁ ବାହାର କରିବା । କିଡନୀ ରକ୍ତଚାପକୁ ରେଗୁଲେଟ କରିବା ସହିତ ଲାଲ ରକ୍ତକୋଷିକାକୁ ନିର୍ମାଣ କରିଥାଏ । ଏଥିସହିତ କିଡନୀ ଆମ ଶରୀରର ପୋଟେନସିଆଲ ଅଫ୍ ହାଇଡ୍ରୋଜେନ (ପିଏଚ) ସ୍ତରକୁ ନିୟନ୍ତ୍ରଣ କରିଥାଏ । ଯଦି ଆପଣଙ୍କ କିଡନୀ ଠିକ୍ ଭାବେ କାମ କରିବ ନାହିଁ, ତେବେ ଆପଣଙ୍କ ଶରୀରରେ ଅପରିଷ୍କାର ପଦାର୍ଥ ଜମି ରହିବ । ଏପରି ସ୍ଥିତିରେ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି ହେବ ଓ ଠିକ୍ ସମୟରେ ଚିକିତ୍ସା ନକଲେ ଆପଣଙ୍କର ଜୀବନ ଯାଇପାରେ ।

ଯଦି ଜଣଙ୍କର ଗୋଟିଏ ବା ଦୁଇଟି କିଡନୀ କାମ କରିବା ବନ୍ଦ କରିଦେବ, ତେବେ ଏହାକୁ କିଡନୀ ଫେଲୁଅର କୁହାଯିବ । ଅନେକ ସମୟରେ ଠିକ୍ ସମୟରେ ଚିକିତ୍ସା ନ କରାଇବା ଓ କିଡନୀକୁ ନେଇ ଉପଯୁକ୍ତ ସଚେତନତାର ଅଭାବ କାରଣରୁ ଅନେକଙ୍କର ଅକାଳରେ ମୃତ୍ୟୁ ଘଟିଥାଏ । ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ହାର୍ଟ ରୋଗୀଙ୍କୁ କିଡନୀ ଫେଲୁଅର ସମସ୍ୟାରେ ବେଶି ସାମ୍ନା କରିବାକୁ ପଡ଼ିଥାଏ । ଶରୀରରେ ବ୍ଲଡ ସୁଗର ସ୍ତର ବଢ଼ିବା ଫଳରେ ଡାଇବେଟିସ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥାଏ, ଫଳରେ ଶରୀରର ଅନ୍ୟ ଅଙ୍ଗ ମଧ୍ୟ ଅକାମୀ ହୋଇପଡ଼େ । ଉଚ୍ଚ ରକ୍ତଚାପରେ ଶରୀରରେ ରକ୍ତ କୋଷିକାଗୁଡ଼ିକରେ ଜୋରରେ ରକ୍ତ ପ୍ରବାହିତ ହୋଇଥାଏ । ରକ୍ତ ଜୋରରେ ପ୍ରବାହିତ ହେଲେ କିଡନୀର ଟିସୁ ଡ୍ୟାମେଜ ହୋଇଥାଏ । ଫଳରେ ଆମକୁ କିଡନୀ ଫେଲୁଅର ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ । ପାରିବାରିକ ଇତିହାସ ଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ କିଡନୀ ଅକାମୀ ହେବାର ଆଶଙ୍କା ଅଧିକ ରହିଥାଏ ।

ଯେଉଁମାନେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରନ୍ତି ସେମାନଙ୍କଠାରେ କିଡନୀ ଅକାମୀ ହେବାର ବେଶି ଆଶଙ୍କା ରହିଥାଏ । ଯେଉଁମାନେ ହାଇପର ଟେନସନ, ଷ୍ଟ୍ରୋକ ଆଦି ସମସ୍ୟାରେ ଜଡ଼ିତ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ରହିଥାଏ । ଏହାବ୍ୟତୀତ ଅତ୍ୟଧିକ ମାତ୍ରାରେ ମଦ୍ୟପାନ, ସ୍ମୋକିଂ ମଧ୍ୟ କିଡନୀ ଡ୍ୟାମେଜର ଅନ୍ୟତମ ପ୍ରମୁଖ କାରଣ । କିଡନୀ ଡ୍ୟାମେଜ ହେବା ପରେ ଧୀରେଧୀରେ ବାନ୍ତି ଆସିବା, ଥକ୍କାପଣ, ଭୋକ ନ ଲାଗିବା, ଦୁର୍ବଳତା, ନିଦ୍ରାହୀନତା, କମ୍ ପରିସ୍ରା, ପାଦ ଓ ଗୋଡ଼ ଫୁଲା, ଚର୍ମ ଶୁଷ୍କ ଓ କୁଣ୍ଡେଇ ହେବା ଆଦି ଲକ୍ଷଣ ସବୁ ଦେଖାଦେଇଥାଏ ।

ବ୍ରେନ, ହାର୍ଟ ବା ଲିଭର ଅକାମୀ ହେବା ତୁଳନାରେ କିଡନୀ ଡ୍ୟାମେଜ ରୋଗୀର ଜୀବନ ସହଜରେ ବଞ୍ଚାଯାଇ ପାରିବ । ଏଥିପାଇଁ ଡାୟଲିସିସ ବା ଟ୍ରାନ୍ସପ୍ଲାଣ୍ଟର ସାହାରା ନିଆଯାଇଥାଏ । ଯୁବ ବୟସର ରୋଗୀଙ୍କର ଟ୍ରାନ୍ସପ୍ଲାଣ୍ଟ ଓ ବୟସ୍କଙ୍କ କ୍ଷେତ୍ରରେ ଡାୟଲିସିସ କରାଯାଇ ଜୀବନ ବଞ୍ଚାଯାଇପାରେ । ଡାୟଲିସିସ ଜରିଆରେ ଜଣେ ବ୍ୟକ୍ତି ୩୦-୪୦ ବର୍ଷ ପର୍ଯ୍ୟନ୍ତ ବିନା କୌଣସି ସମସ୍ୟାରେ ସହଜରେ ବଞ୍ଚି ପାରିବ । କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡୋନର ପରିବାରର ଜଣେ ସଦସ୍ୟ ହେବା ଜରୁରୀ ।

Get real time updates directly on you device, subscribe now.