fbpx

ଫ୍ରିଜ୍ ରେ ରଖାଯାଇଥିବା ଅଟାଗୁଳା ସୃଷ୍ଟି କରିପାରେ ବିଭିନ୍ନ ପେଟ ସମସ୍ୟା, ଜାଣି ନିଅନ୍ତୁ ବର୍ଷାଦିନେ କିପରି କରିବେ ଏହାର ବ୍ୟବହାର

ବର୍ଷାଦିନେ ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବ୍ୟାପି ଯାଆନ୍ତି । ଯେଉଁ କାରଣରୁ ସଂକ୍ରମଣର ଆଶଙ୍କା ବଢିଯାଏ । ତେଣୁ ଏହି ସମୟରେ ରୋଷେଇ ଘରେ ରଖୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ । ଆମ ମଧ୍ୟରୁ ବହୁ ଲୋକଙ୍କର ଅଭ୍ୟାସ ରହିଛି ଅଟା ଅଧିକ ଚକଟି ଫ୍ରିଜ୍ ରେ ରଖିଦେବା । ଏହି ସାଇତା ଅଟା ଚକଟା ଆପଣଙ୍କ ଅଜାଣତରେ ବିଭିନ୍ନ ରୋଗର କାରଣ ହୋଇପାରେ ।

ସମୟ ବଞ୍ଚାଇବା ଲାଗି ଲୋକମାନେ ଅଧିକ ଅଟା ଚକଟି ଫ୍ରିଜ୍ରେ ରଖି ଦିଅନ୍ତି ଓ ସେଥିରୁ ଅଳ୍ପ ଅଳ୍ପ ବାହାର କରି ରୁଟି କରନ୍ତି । କିନ୍ତୁ ଅଟାରେ ଥିବା ପାଣି ବର୍ଷାଦିନେ ଫିମ୍ପି ସୃଷ୍ଟି କରିଥାଏ । ଫ୍ରିଜ୍ ମଧ୍ୟରେ ଥଣ୍ଡାରେ ରଖିଲେ ବି କିଛି ଲାଭ ହୋଇ ନ ଥାଏ । କାରଣ ଅଟାରେ ଥିବା ବ୍ୟାକ୍ଟେରିଆ ଉତ୍ତାପ ସୃଷ୍ଟି କରିଥାନ୍ତି ଓ ବର୍ଷାଦିନେ ଅଧିକ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାନ୍ତି ।

ଏହା ବ୍ୟତିତ ଫ୍ରିଜ୍ ରେ ରଖାଯାଇଥିବା ଅଟା ଗୁଳା ଖାଇବା ଦ୍ୱାରା ପେଟରେ ଗ୍ୟାସ୍, ଏସିଡିଟୀ ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ସୃଷ୍ଟି ହୋଇଥାଏ । ଏହାର କାରଣ ହିଁ ବ୍ୟାକ୍ଟେରିଆ ହୋଇଥାନ୍ତି । ବର୍ଷାଦିନେ ଜଳବାୟୁ ଅଧିକ ଆର୍ଦ୍ର ରହୁଥିବାରୁ ବ୍ୟାକ୍ଟେରିଆ ଅଧିକ ସୃଷ୍ଟି ହୋଇଥାନ୍ତି । ଏହି କାରଣରୁ କେବଳ ଅଟା ନୁହେଁ କ୍ଷୀର, କ୍ଷୀର ଜାତ ଅନ୍ୟାନ୍ୟ ଦ୍ରବ୍ୟ ଓ ମାଂସ ଆଦି ସହଜରେ ଖରାପ ହୋଇଯାଏ ।

ଯଦି ଫ୍ରିଜ୍ ରେ ଅଟା ଚକଟି ରଖିବା ନିହାତି ଦରକାର ତେବେ ଏହାକୁ ଏପରି ଏକ ପାତ୍ରରେ ରଖନ୍ତୁ ଯେପରି ପାତ୍ରଟି ସଂପୂର୍ଣ୍ଣ ଶୁଖିଲା ଓ ପରିଷ୍କାର ଥିବ । ଏପରି ସ୍ଥିତିରେ ବି ଅଟା ଚକଟା ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ରହିପାରିବ । ଏହା ବ୍ୟତିତ ଅଟାକୁ ଚକଟିବା ସମୟରେ ବେଶୀ ପାଣିଆ କରନ୍ତୁ ନାହିଁ । ଏହାକୁ ଟାଣ କରି ଚକଟନ୍ତୁ । ଏହାଦ୍ୱାରା ଅଟା ଶୀଘ୍ର ଖରାପ ହୁଏ ନାହିଁ ।

 

Get real time updates directly on you device, subscribe now.