fbpx

୮୮ରେ ପହଞ୍ଚିଲା ପଦକ ସଂଖ୍ୟା: ୪୧ ବର୍ଷର ପ୍ରତୀକ୍ଷାର ଅନ୍ତ, ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଭାରତ ଜିତିଲା ପଦକ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି ଭାରତ ଦ୍ୱିତୀୟ ପଦକ ଜିତିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୮ରେ ପହଞ୍ଚି ଯାଇଛି । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଜ ପଦକ ରହିଥିଲା ।

ଆଜି ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟରେ ଏଚ.ଏସ ପ୍ରଣୟ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ରତିପକ୍ଷ ଚୀନର ଲି ଶି’ ଫେଙ୍ଗଙ୍କଠାରୁ ପ୍ରଣୟ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ପ୍ରଣୟ ଲି’ଙ୍କଠାରୁ ୨୧-୧୬,୨୧-୯ରେ ପରାସ୍ତ ହୋଇଥିଲେ । ତେବେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତ ନୂଆ ରେକର୍ଡ ସୃଷ୍ଟି କରିଛି । ୪୧ ବର୍ଷ ପୂର୍ବରୁ ଅର୍ଥାତ ଗତ ୧୯୮୨ ମସିହାରେ ଏସୀୟ କ୍ରୀଡ଼ାରେ ଶୟଦ ମୋଦୀ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ।

ଗତକାଲି ପ୍ରଣୟ ପୂର୍ବତନ ୨ ନମ୍ବର ବିଶ୍ୱ ରାଙ୍କିଂ ମାନ୍ୟତା ପ୍ରାପ୍ତ ମାଲେଶିଆର ଲି ଜି ଜିଆଙ୍କୁ ୨୧-୧୬, ୨୧-୨୩, ୨୨-୨୦ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ପ୍ରଣୟଙ୍କ ପୂର୍ବରୁ ଆଜି ଆର୍ଚେରୀରେ ମହିଳା ରିକର୍ଭ ଟିମ୍ ଭିଏତନାମକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲା । ଅଙ୍କିତା ଭକତ, ଭଜନ କୌର ଓ ସିମ୍ରନଜିତ କୌରଙ୍କୁ ନେଇ ଗଠିତ ମହିଳା ଟିମ୍ ଦେଶ ପାଇଁ ଏହି ସଫଳତା ହାସଲ କରିଥିଲେ । ସେହିପରି କବାଡ଼ି ସେମିଫାଇନାଲରେ ଭାରତ ନେପାଳକୁ ୬୧-୧୭ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଏଥସହିତ ଟି-୨୦ କ୍ରିକେଟରେ ଭାରତୀୟ ପୁରୁଷ ଦଳ ସେମିଫାଇନାଲରେ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

Get real time updates directly on you device, subscribe now.