fbpx

ଆଜି ବି ବଞ୍ଚିଛି ଯଶୋଦାର ମମତା: ଶହ ଶହ ଶିଶୁଙ୍କୁ ନୂଆ ଜୀବନ ଦେଉଛନ୍ତି ମାଆ ନିବେଦିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମାଜ ଏତେ କୁପଥ ଆଡ଼କୁ ଚାଲିଯାଇଛି ଯେ ଏଠି ଭଲ ଲୋକଙ୍କୁ ବି ବିଶ୍ୱାସ କରିହେଉନି । ଏପରି ସ୍ଥିତିରେ ମାତୃସମ ମମତା ଖୋଜିବା ସତେ ଯେମିତି ନର୍କରେ ଅମୃତ ଖୋଜିବା ସହିତ ସମାନ । ତେବେ ଆଜିର ସମାଜରେ ଏବେ ବି ଭଲ ମଣିଷ ରହିଛନ୍ତି, ଆଉ ଛୁଆଙ୍କୁ ଜନ୍ମ ନଦେଇ ବି ଯଶୋଦାର ସ୍ନେହ ଦେଇ ପାରୁଛନ୍ତି । ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେବକୀ ଜନ୍ମ ଦେଇଥିଲେ । ମାତ୍ର କୃଷ୍ଣଙ୍କର ସମସ୍ତ ଅଳି ଅଝଟ ସହି ତାଙ୍କୁ ଛୋଟରୁ ବଡ଼ କରିଥିଲେ ମାଆ ଯଶୋଦା । ଯୁଗେ ଯୁଗେ ଯଶୋଦାଙ୍କ ଆସନ ସର୍ବଦା ଉପରେ ରହିଆସିଛି ।

ତେବେ ଆଜିର ସମାଜରେ ବି ଏଭଳି ଜଣେ ଯଶୋଦା ଅଛନ୍ତି । ସେ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଲୁମ୍ବିନୀ ବିହାରର ନିବେଦିତା ଲେଙ୍କା । ନିବେଦିତା ଶତାଧିକ ଶିଶୁଙ୍କୁ ନିଜର ମମତାର ବନ୍ଧନରେ ବାନ୍ଧି ରଖି ସମସ୍ତଙ୍କର ମାଆ ସାଜିଛନ୍ତି । ଏହ।। କେବଳ ଗୋଟିଏ ଦିନର କଥା ନୁହେଁ, ଦୀର୍ଘ ୧୬ ବର୍ଷ ଧରି ନିବେଦିତା ଏପରି ଶିଶୁଙ୍କୁ ମମତା ବାଣ୍ଟି ଚାଲିଛନ୍ତି । ଅର୍ଥାଭାବରୁ ପାଠପଢ଼ାରୁ ବଞ୍ଚିତ ହେଉଥିବା ରାଜ୍ୟର କୋଣ ଅନୁକୋଣର ଅନେକ ପିଲାଙ୍କୁ ନୂଆ ଜୀବନ ଦେଇଛନ୍ତି ଯଶୋଦା ।

ଯଶୋଦାଙ୍କ ପାଇଁ ଆଜି ବହୁ ପିଲା ପ୍ରଶାସନିକ ଅଧିକାରୀ, ଡାକ୍ତର ଭଳି ଉଚ୍ଚପଦରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି । ସାଇକେଲ ମେକାନିକ ପୁଅ, ମୁଢ଼ି ବିକାଳି ପୁଅ, ଦିନ ମଜୁରିଆ ଓ ଚାଷୀ ପୁଅଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିପାରିଛନ୍ତି ନିବେଦିତା । ନିଜର ଦ୍ୱିତୀୟ ପୁଅ ଦୁର୍ଭାଗ୍ୟବଶତଃ ମୃତ୍ୟୁବରଣ କରିବାର କାହାଣୀ ତାଙ୍କର ଜୀବନକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲା । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ପିତାମାତାଙ୍କ ମୃତ୍ୟୁ ପରେ ୩ ଜଣ ଶିଶୁ ଅନାଥ ହୋଇଯାଇଥିଲେ । ଏହାପରେ ସେଇ ୩ ଶିଶୁଙ୍କୁ କୋଳେଇ ନେଇଥିଲେ ନିବେଦିତା ।

ଦିନେ ଗୋଟିଏ ଛୁଆକୁ ଜନ୍ମ ଦେଇ ତା’ର ଭବିଷ୍ୟତ ଗଢ଼ିବାକୁ ବ୍ୟାକୁଳ ହେଉଥିଲେ ନିବେଦିତା । ମାତ୍ର ଆଜି ସେ ଶହ ଶହ ଶିଶୁଙ୍କ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ନିରୀହ, ଅସହାୟ ଶିଶୁମାନେ ସମାଜରେ ପ୍ରତିଷ୍ଠା ଲାଭ କରିବା ନିବେଦିତାଙ୍କୁ ବହୁତ ଖୁସି ଦେଇଛି । ତେବେ ୫୯ ବର୍ଷ ବୟସରେ ଉପନୀତ ହୋଇସାରିଥିଲେ ହେଁ ଏବେ ବି ଥକିଯାଇ ନାହାନ୍ତି ନିବେଦିତା । ଏଭଳି ମହାନ୍ କାର୍ଯ୍ୟ ପାଇଁ ନିବେଦିତାଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଏକାଧିକ ପୁରସ୍କାର ମିଳିଛି । ସତରେ ନିବେଦିତାଙ୍କ ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ । ଆଜିର ମାତୃ ଦିବସରେ ଶହ ଶହ ଶିଶୁଙ୍କ ମାଆ ଯଶୋଦାଙ୍କୁ ଶତ ଶତ ପ୍ରଣାମ । ଆମ ସମାଜରେ ଏଭଳି ଆହୁରି ଅନେକ ଯଶୋଦା ଜନ୍ମ ଦିଅନ୍ତୁ ।

Get real time updates directly on you device, subscribe now.