fbpx

୮ବର୍ଷ ପରେ ସୁପ୍ରିମକୋର୍ଟଙ୍କ ଯୋଗୁଁ ପୂରଣ ହେଲା IAS ସ୍ୱପ୍ନ

Advertisement

ଆଇଏଏସ୍ ହେବାର ସ୍ୱପ୍ନ ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇ ନଥାଏ । କିଛି ଅଭିଜ୍ଞ ଛାତ୍ର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ବହୁ ଚେଷ୍ଟା କରିବା ପରେ ବି ପରିଶେଷରେ ଫେଲ ମାରନ୍ତି । ମାତ୍ର ଆଉ କିଛି କ୍ଷେତ୍ରରେ ଚେଷ୍ଟା କରି ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ ଭାଗ୍ୟ ତାଙ୍କ ସାଥିରେ ନଥାଏ । ଯେଉଁ କାରଣରୁ ସେ ପରୀକ୍ଷାରେ ପାସ୍ ହୋଇ ବି ଫେଲ ହୋଇଯାଆନ୍ତି । ଏଭଳି ଏକ ଅବିଶ୍ୱାସନୀୟ ମାମଲା ସୁପ୍ରିମକୋର୍ଟ ନିକଟରେ ପହଂଚିଛି । ୨୦୧୪ ମସିହାରେ ରାଜଶେଖର ରେଡ୍ଡୀ ନାମକ ଜଣେ ବ୍ୟକ୍ତି ସିଭିଲ୍ ପରୀକ୍ଷାର ସମସ୍ତ ପାହାଚରେ ଉତ୍ତୀର୍ଣ୍ଣ ହୋଇଥିଲେ ସୁଦ୍ଧା ତାଙ୍କର ଆଇଏଏସ୍ ହେବାର ସ୍ୱପ୍ନ ବିଫଳ ହୋଇଯାଇଥିଲା । ମାତ୍ର ୮ ବର୍ଷ ପରେ ତାଙ୍କର ଏହି ସ୍ୱପ୍ନକୁ ପୂରଣ କରିଛନ୍ତି ସୁପ୍ରିମକୋର୍ଟ ।

ଇଂରାଜୀ ଖବର କାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ୨୦୧୪ ମସିହାରେ ରାଜଶେଖର ସିଭିଲ ପରୀକ୍ଷାରେ ପାସ୍ କରିଥିଲେ । ତାହା ଥିଲା ତାଙ୍କର ପଞ୍ଚମ ଓ ଶେଷ ପରୀକ୍ଷା । ଯାହାପରେ ସେ ଚେଷ୍ଟା କଲେ ମଧ୍ୟ ସିଭିଲ ପରୀକ୍ଷା କେବେ ଦେଇପାରିବେ ନାହିଁ । ତେବେ ତାଙ୍କର ଶେଷ ଚେଷ୍ଟା ସଫଳ ମଧ୍ୟ ହୋଇଥିଲା । ସେ ପ୍ରିଲିମନାରୀ ଏବଂ ମେନ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିସହ ତାଙ୍କର ମେରିଟ୍ ଲିଷ୍ଟରେ ନାମ ଆସିଯାଇଥିଲା । ମାତ୍ର ମେଡିକାଲ ଟେଷ୍ଟ ବଡି ମାସ୍ ଇଣ୍ଡେକ୍ସ(ବିଏମଆଇ) ସମୟରେ ତାଙ୍କୁ ରିଜେକ୍ଟ କରିଦିଆଯାଇଥିଲା । ସୂଚନାଥାଉକି, ବିଏମଆଇ ଦ୍ୱାରା ଆପଣ ନିଜ ଉଚ୍ଚତା, ବୟସ ଅନୁସାରେ ବଡିର ସଠିକ୍ ଓଜନ ବିଷୟରେ ଜାଣିପାରିବେ । ଏହି ବିଏମଆଇ ଟେଷ୍ଟରେ ରାଜଶେଖରଙ୍କର ରିପୋର୍ଟରେ ୩୨ ଆସିଲା, ମାତ୍ର ସିଭିଲ ସର୍ଭିସ୍ ପାଇଁ ୩୦ର ଆବଶ୍ୟକତା ଥିଲା । ତେବେ ଏହି କାରଣରୁ ତାଙ୍କର ସିଭିଲ୍ ସର୍ଭିସ୍ ହେବାର ସ୍ୱପ୍ନ ଅଧାରେ ରହିଗଲା ।

ନିୟମ କ’ଣ?

ସିଭିଲ୍ ସର୍ଭିସ୍ ପରୀକ୍ଷାର ନିୟମ ଅନୁସାରେ, ପରୀକ୍ଷାର୍ଥୀଙ୍କ ବିଏମଆଇ ଯଦି ୩୦ରୁ ଅଧିକା ରହିଥାଏ, ତେବେ ତାଙ୍କୁ ୬ ମାସ ମଧ୍ୟରେ ପୁଣିଥରେ ମେଡିକାଲ ଟେଷ୍ଟ କରାଯିବା କଥା । ରାଜଶେଖର ଏହାପରେ ୯ ମାର୍ଚ୍ଚ ୨୦୧୬ ମସିହାରେ ପୁନର୍ବାର ନିଜର ମେଡିକାଲ ଟେଷ୍ଟ କରିବା ପାଇଁ ଯାଇଥିଲେ । ମାତ୍ର ସେଠାରେ ୬ ମାସରୁ ଅଧିକ ସମୟ ହୋଇଥିବା କାରଣରୁ ତାଙ୍କୁ ସେହି ଟେଷ୍ଟରୁ ବଂଚିତ କରାଯାଇଥିଲା ।

ସୁପ୍ରିମକୋର୍ଟଙ୍କ ରାୟ

ଏହି ଘଟଣାକୁ ନେଇ ରାଜଶେଖର ସୁପ୍ରିମକୋର୍ଟଙ୍କୁ ଦ୍ୱାରସ୍ଥ ହେଲେ । ଏହି ମାମଲାରେ ସୁପ୍ରିମକୋର୍ଟ ଧାରା ୧୪୨ ଅନୁସାରେ ଶୁଣାଣି କରି କହିଥିଲେ ଯେ, ପୁନର୍ବାର ତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ଅନୁମତି ମିଳୁ । ଜଷ୍ଟିସ୍ ଅଜୟ ରସ୍ତୋଗୀ ଏବଂ ବିକ୍ରମ ନାଥଙ୍କ ଖଣ୍ଡପୀଠରେ ଶୁଣାଣିରେ କୁହାଯାଇଛି ଯେ, ସେ ଏବେ ଚାକିରୀରେ ନିଯୁକ୍ତି ପାଇବେ ସତ ମାତ୍ର ତାଙ୍କୁ ପୁରୁଣା ପେ-ସ୍କେଲ ଅନୁସାରେ ଦରମା ଦିଆଯିବ । ମାତ୍ର ୨୦୧୪ ଠାରୁ ତାଙ୍କର ଦରମା ଲାଗୁ ହୋଇପାରିବ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ରାଜଶେଖରଙ୍କ ୮ ବର୍ଷର ସ୍ୱପ୍ନ ପରିଶେଷରେ ସଫଳ ହେଲା ।

Get real time updates directly on you device, subscribe now.