fbpx

ଆର୍ଥିକ ସ୍ୱଚ୍ଛଳତା ସତ୍ତ୍ୱେ ଚାକିରି କରି ନିଜ ପଢା ଖର୍ଚ୍ଚ ଉଠାଉଥିଲେ ଆଇଏଏସ୍ ଟପ୍ପର ଈଶିତା

ଗ୍ରେଟର ନୋଏଡା:ୟୁପିଏସସି ସିଭିଲ୍ ସର୍ଭିସ୍(ଆଇଏଏସ୍) ୨୦୨୨ ପରୀକ୍ଷାରେ ଇଶିତା କିଶୋର ପୁରା ଦେଶରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଇଶିତା ଶ୍ରୀରାମ କଲେଜ ଅଫ୍ କମର୍ସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ର ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ତେବେ ଆଇଏଏସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଇଶିତା ନିଜ କ୍ୟାରିୟରରେ ସର୍ବଦା ଶୀର୍ଷରେ ରହି ଆସିଛନ୍ତି । ଏୟାରଫୋର୍ସ ବାଲ ଭାରତୀ ସ୍କୁଲ ଓ ଶ୍ରୀରାମ କଲେଜ ଅଫ୍ କମର୍ସ ଦିଲ୍ଲୀରେ ଅଧ୍ୟୟନ କରିଥିବା ଇଶିତା ପିଲାଦିନୁ ସ୍ଥିର କରି ନେଇଥିଲେ କି ବଡ ହେଲେ ଆଇଏଏସ୍ ଅଫିସର ହେବେ ।

ଇଶିତାଙ୍କ ଘର ହରିୟାଣାରେ ହୋଇଥିବା ବେଳେ ତାଙ୍କ ପିତା ଏୟାରଫୋର୍ସରେ ଅଫିସର ଅଛନ୍ତି ଓ ତାଙ୍କ ପରିବାର ଏବେ ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ରହୁଛନ୍ତି । ୨୦୧୪ରେ ଇଶିତା ବାଲ ଭାରତୀ ସ୍କୁଲରୁ ଦ୍ୱାଦଶ ଶିକ୍ଷା ସମାପ୍ତ କରିଥିଲେ ଓ ଏହାପରେ ୨୦୧୭ରେ ଶ୍ରୀରାମ କଲେଜ ଅଫ୍ କମର୍ସରେ ଇକୋନୋମିକ୍ସ ଅନର୍ସରେ ସ୍ନାତକ ଶିକ୍ଷା ଶେଷ କରିଥିଲେ । ସ୍ନାତକ ଶିକ୍ଷା ଶେଷ ପର ଠାରୁ ସେ ସିଭିଲ ସର୍ଭିସ୍ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ପଢିବା ସମୟରେ ସେ ଯେପରି ପରିବାର ଉପରେ ବୋଝ ନ ହେବେ ସେଥିପାଇଁ ଏକ ବହୁ ଦେଶୀୟ କମ୍ପାନୀରେ ରିସ୍କ ଆଡଭାଇଜର ଚାକିରୀରେ ଯୋଗ ଦେଇଥିଲେ । ସେ ପରୀକ୍ଷା ଲାଗି ନିଜକୁ ପ୍ରସ୍ତୁତ କରିବାକୁ ଏକ ଯୋଜନା ବନାଇଥିଲେ ଓ ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିଥିଲେ । ୟୁପିଏସସି ପରୀକ୍ଷାରେ ଏହା ଇଶିତାଙ୍କର ତୃତୀୟ ଚେଷ୍ଟା ଥିଲା ।

ଟପ୍ପର ହେବା ପରେ ଇଶିତା କହିଛନ୍ତି, ସେ ଏଥର ପରୀକ୍ଷାରେ ଭଲ କରିଥିଲେ ବି ଅଲ୍ ଇଣ୍ଡିଆ ଟପ୍ପର ହେବେ ବୋଲି ଆଶା କରି ନ ଥିଲେ । ପରୀକ୍ଷା ଫଳ ବାହାରିବା ମାତ୍ରେ ତାଙ୍କ ନାମ ଚାରିଆଡେ ଚର୍ଚ୍ଚା ପାଲଟି ଯାଇଥିଲା । ତାଙ୍କ ମା ଏହି ଖବର ଜାଣିବା ପରେ ଖୁସିରେ ନାଚି ଉଠିଥିଲେ । ଇଶିତା କହିଛନ୍ତି ତାଙ୍କ ପିତା ସର୍ବଦା ଦେଶସେବାରେ ତତ୍ପର ରହୁଥିବା ସେ ଦେଖି ଆସିଛନ୍ତି । ପିଲାଦିନୁ ସେ ପିତାଙ୍କୁ ଦେଖି ମନେ ମନେ ଭାବି ନେଇଥିଲେ ଯେ, ସେ ବି ଏପରି କିଛି କାର୍ଯ୍ୟ କରିବେ ଯାହାଦ୍ୱାରା ସମଗ୍ର ଦେଶବାସୀଙ୍କ ମଙ୍ଗଳ ସାଧିତ ହୋଇପାରିବ ।

ଇଶିତା କହିଛନ୍ତି ସେ ୟୁପିଏସସି ଲାଗି ଘରେ ରହି ହିଁ ପଢାପଢି କରିଛନ୍ତି । ପରୀକ୍ଷାରେ ତାଙ୍କ ଅପ୍ସନାଲ୍ ସବଜେକ୍ଟ ପଲିଟିକାଲ୍ ସାଇନ୍ସ ଓ ଇଣ୍ଟରନ୍ୟାସନାଲ୍ ରିଲେସନ ଥିଲା । ବହୁତ ପରିଶ୍ରମ କରିଥିବାରୁ ସେ ଏଥର ପରୀକ୍ଷାରେ ଟପ୍ ଲିଷ୍ଟରେ ରହିବେ ବୋଲି ଆଶା ପୋଷଣ କରିଥିଲେ । ପଢା ସହିତ ଇସିତାଙ୍କର ପେଣ୍ଟିଂ ପ୍ରତି ମଧ୍ୟ ବିଶେଷ ସଉକ ରହିଛି । ମଧୁବନୀ ପେଣ୍ଟିଂରେ ସେ ବିଶେଷ ଦକ୍ଷତା ରଖିଛନ୍ତି ।

Get real time updates directly on you device, subscribe now.