ହୋମ, କାର, ପର୍ସନାଲ, କ୍ରେଡିଟ କାର୍ଡ ଲୋନ ନେଇଥିବା ବ୍ୟକ୍ତିଙ୍କର ଅଚାନକ ମୃତ୍ୟୁ ଘଟିଲେ ବ୍ୟାଙ୍କ କାହାଠାରୁ ବାକି ଟଙ୍କା ଆଦାୟ କରିବ: ଦେଶରେ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଆଜିକାଲି ଗରିବ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ବିଭିନ୍ନ ବ୍ୟାଙ୍କରୁ ଲୋନ୍ ନେଇଥାନ୍ତି । ବ୍ୟାଙ୍କ ଦ୍ୱାରା ଗ୍ରାହକଙ୍କୁ ହୋମ ଲୋନ, କାର ଲୋନ, ପର୍ସନାଲ ଲୋନ ଦିଆଯାଇଥାଏ । ଏହାର ପ୍ରତି ବଦଳରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଗ୍ରାହକଙ୍କଠାରୁ ସୁଧ ସହିତ ଇଏମଆଇ ଆଦାୟ କରାଯାଇଥାଏ । ତେବେ ଯଦି ଲୋନ ନେଇଥିବା କୌଣସି ବ୍ୟକ୍ତିଙ୍କର ଅଚାନକ ମୃତ୍ୟୁ ଘଟେ ତେବେ ବ୍ୟାଙ୍କ କାହାଠାରୁ ଲୋନ୍ ଅର୍ଥ ଆଦାୟ କରିବ? ଏନେଇ କ’ଣ ରହିଛି ନିୟମ?

ଯଦି କୌଣସି ବ୍ୟକ୍ତି ଲୋନ ଧାର୍ଯ୍ୟ ସମୟରେ ପଇଠ କରିବାରେ ବିଫଳ ହୁଅନ୍ତି ତେବେ ଏ କ୍ଷେତ୍ରରେ ବ୍ୟାଙ୍କ ପକ୍ଷରୁ ଆଇନର ଆଶ୍ରୟ ନିଆଯାଇଥାଏ । ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର ହେବା ସହିତ ସେ ଜେଲ ମଧ୍ୟ ଯାଇ ପାରନ୍ତି । ତେବେ ଯଦି ଲୋନ ଅର୍ଥ ସୁଝିବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟେ, ତେବେ ଏ କ୍ଷେତ୍ରରେ ବ୍ୟାଙ୍କ କ’ଣ କରିବ, ତାହା ନିଶ୍ଚିତ ଭାବେ ଏକ ବଡ଼ ପ୍ରଶ୍ନ । ଏ କ୍ଷେତ୍ରରେ ପ୍ରଥମେ ଉକ୍ତ ବ୍ୟକ୍ତି କେଉଁ ପ୍ରକାର ଲୋନ ନେଇଥିଲେ ତାହା ଦେଖାଯାଇଥାଏ । ପର୍ସନାଲ ଲୋନ, କାର ଲୋନ, ହୋମ ଲୋନ, କ୍ରେଡିଟ କାର୍ଡ ଲୋନ ପାଇଁ ଅଲଗା ଅଲଗା ନିୟମ ରହିଛି ।

ହୋମ ଲୋନ ନେଇଥିବା ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲେ, ତାଙ୍କର ଉତ୍ତରାଧିକାରୀଙ୍କୁ ଅର୍ଥ ସୁଝିବାକୁ ପଡ଼ିବ । ଯଦି ସେ ଉକ୍ତ ରାଶି ପଇଠ କରିବାରେ ଅସମର୍ଥ ହେବେ, ତେବେ ପ୍ରପର୍ଟିକୁ ନିଲାମ କରି ବ୍ୟାଙ୍କ ନିଜର କରଜ ଆଦାୟ କରିଥାଏ । ମାତ୍ର ଯଦି ବୀମା କରାଯାଇଥିବ ତେବେ ଇନସ୍ୟୁରାନ୍ସ କମ୍ପାନୀ ଠାରୁ ଅର୍ଥ ଆଦାୟ କରାଯିବ । ଯଦି ଟର୍ମ ଇନସ୍ୟୁରାନ୍ସ ନିଆଯାଇଥିବ ତେବେ କ୍ଲେମ ଆମାଉଣ୍ଟ ପାଇଁ ନୋମିନୀଙ୍କ ଆକାଉଣ୍ଟକୁ ନେଇ ଆଇନ ପ୍ରକ୍ରିୟା ଚାଲିଥାଏ ।

କାର ଲୋନ ସ୍ଥିତିରେ ବ୍ୟାଙ୍କ ପରିବାରବର୍ଗଙ୍କ ସହିତ ସମ୍ପର୍କ କରିଥାଏ । ଯଦି ଆଇନଗତ ଉତ୍ତରାଧିକାରୀ କାର ରଖିବା ସହିତ ଲୋନ ଅର୍ଥ ପଇଠ ନ କରନ୍ତି ତେବେ ବ୍ୟାଙ୍କ ଗାଡ଼ି ଜବତ କରି ବିକ୍ରି କରି ଅର୍ଥ ପ୍ରାପ୍ତ କରିଥାଏ । ପର୍ସନାଲ ଓ କ୍ରେଡିଟ କାର୍ଡ ଲୋନ କ୍ଷେତ୍ରରେ ବ୍ୟାଙ୍କ ବାକି ରର୍ଥ ଆଇନଗତ ଉତ୍ତରାଧିକାରୀ ବା ପରିବାରବର୍ଗଙ୍କ ଠାରୁ ଆଦାୟ କରିପାରିବ ନାହିଁ । ଯଦି କେହି ସହ-ଉଧାରକାରୀ ରହିଥିବେ, ତେବେ ସେ ଲୋନ ପଠଇ କରିପାରନ୍ତି । ଏପରି ନହେଲେ ବ୍ୟାଙ୍କ ନନପରଫର୍ମିଂ ଆସେଟ ବୋଲି ଘୋଷଣା କରିଥାଏ ।