fbpx

ଫୁଟ୍ ଓଭରବ୍ରିଜ୍ ନଥିବା ରେଲୱେ ଷ୍ଟେସନରେ ଟ୍ରାକ୍ ପାର କରିବା ଯାତ୍ରୀଙ୍କର ଦାୟିତ୍ୱହୀନତା ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ରେଲୱେ କ୍ଲେମ ଟ୍ୟୁବ୍ୟୁନାଲଙ୍କ ଏକ ଆଦେଶକୁ ରଦ୍ଦ କରିବା ସହ ବଡ଼ ଝଟକା ଦେଇଛନ୍ତି । ରେଲ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ୬ ସପ୍ତାହ ମଧ୍ୟରେ ୮ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟମୂର୍ତ୍ତୀ ଅଭୟ ଆହୁଜାଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି । ଯଦି କୌଣସି ରେଲୱେ ଷ୍ଟେସନରେ ଫୁଟ ଓଭରବ୍ରିଜ ନଥିବ, ଏପରି ସ୍ଥିତିରେ ରେଲୱେ ଟ୍ରାକ ପାର କରିବାକୁ ଅବହେଳା ଭାବେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

କୋର୍ଟଙ୍କ ମୁତାବକ, ଯଦି ଜଣେ ବ୍ୟକ୍ତି ଚାକିରି ସନ୍ଧାନରେ ଗାଁରୁ ଆସନ୍ତି, ତେବେ ସେ ବୈଧ ଟିକେଟ ନେଇ ଟ୍ରେନରେ ଚଢ଼ି ଯାଇଥାନ୍ତି । ଏପରି ସ୍ଥିତିରେ ଫୁଟ ଓଭରବ୍ରିଜ ନଥିବା କାରଣରୁ ସେ ରେଲୱେ ଷ୍ଟେସନରୁ ବାହାରକୁ ଯିବା ପାଇଁ ବାଧ୍ୟ ହୋଇ ଟ୍ରାକ ପାର କରିଥାନ୍ତି । ଯଦି ଏହି ସମୟରେ କୌଣସି ଟ୍ରେନ ଦୁର୍ଘଟଣା ଘଟି ଉକ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟେ, ତେବେ ଏହାକୁ ସେ ଜାଣିଶୁଣି ଅବହେଳା କରିଛନ୍ତି ବୋଲି କୁହାଯାଇ ପାରିବ ନାହିଁ ।

ମନୋହର ଗଜଭିୟେ ନାମକ ଜଣେ ବ୍ୟକ୍ତି ଗୋନ୍ଦିଆରୁ ମହାରାଷ୍ଟ୍ରର ରେବରାଲ ଯାଉଥିଲେ । ଏହି ସମୟରେ ସେ ରେବରାଲ ଷ୍ଟେସନରେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ମନୋହର ଲାପରବାହୀ ଭାବେ ଟ୍ରାକରେ ଚାଲୁଥିଲେ । ତେଣୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଟ୍ୟୁବ୍ୟୁନାଲ ୨୦୧୯ର ଆଦେଶରେ କହିଥିଲେ । ମନୋହରଙ୍କୁ କୌଣସି ପ୍ରକାର ସହାୟତା ପ୍ରଦାନର ଆବଶ୍ୟକତା ନଥିବା ଟ୍ୟୁବ୍ୟୁନାଲ କହିଥିଲେ । ତେବେ ଯେଉଁ ରେଲୱେ ଷ୍ଟେସନରେ ମନୋହର ଦୁର୍ଘଟଣାର ଶିକାର ହୋଇଥିଲେ ସେଠାରେ ଫୁଟ୍ ଓଭରବ୍ରିଜ ନଥିବା ତାଙ୍କର ଓକିଲ ଦଲିଲ ଦାଖଲ କରିଥିଲେ ।

Get real time updates directly on you device, subscribe now.