ଏଣିକି କମ୍ ପିଲା ଥିଲେ ବନ୍ଦ ହେବ କଲେଜ, ଆକ୍ସନ ମୋଡ୍ରେ ଉଚ୍ଚଶିକ୍ଷା ବିଭାଗ
ଉଚ୍ଚଶିକ୍ଷା ବିଭାଗର କଡ଼ା ନିଷ୍ପତ୍ତି, ପିଲା କମ ଥିଲେ କଲେଜ ବନ୍ଦ ହେବ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଖରାପ ପ୍ରଦର୍ଶନ କରୁଥିବା କଲେଜ ଏବଂ ଯେଉଁ କଲେଜରେ କମ ପିଲା ଥିବେ ସେହି କଲେଜଗୁଡିକୁ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଅନୁଦାନପ୍ରାପ୍ତ, ଘରୋଇ, ପ୍ରଫେସନାଲ୍ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା କୌଣସି କଲେଜରେ ଯଦି ନିୟମିତ ଭାବେ ପିଲା କମ୍ ରହୁଛନ୍ତି ସେହି କଲେଜ ବନ୍ଦ ହେବ। ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍ପିସି)ରେ ଏହି ନିଷ୍ପତ୍ତି ନିଆଯାଇଛି।
୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ: ସ୍ଥାୟୀ ଅନୁମୋଦନ ପାଇଁ ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷରେ ଆବେଦନ କରିଥିବା ରାଜ୍ୟର ୧୪୬ଟି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଯାଞ୍ଚ କରାଯିବ। ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ କମିଟି ଶିକ୍ଷାନୁଷ୍ଠାନକୁ ଗସ୍ତ କରି ଭିତ୍ତିଭୂମି, ପାଠ୍ୟକ୍ରମ, ଅଧ୍ୟାପକ-ଛାତ୍ରଛାତ୍ରୀଙ୍କ ଅନୁପାତ ପରି ବିଭିନ୍ନ ବିଷୟ ଉପରେ ଅନୁଧ୍ୟାନ କରିବ।
ସେହି କମିଟି ଯେଉଁ ରିପୋର୍ଟ ପ୍ରଦାନ କରିବ ତାହାରି ଆଧାରରେ ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ। ଯେଉଁଥିରେ ୧୩ଟି ପ୍ରଫେସନାଲ୍ କଲେଜ ମଧ୍ୟ ରହିଛି। ଏହାବ୍ୟତୀତ ୧୩ଟି ପ୍ରଫେସନାଲ କଲେଜ ନୂତନ ପାଠ୍ୟକ୍ରମ ଖୋଲିବାକୁ କରିଥିବା ଆବେଦନକୁ ବିଭାଗ ବାତିଲ୍ କରିଛି।
ଯୁଗ୍ମ କମିଟି ସଦସ୍ୟଙ୍କ ମିଳିତ ଯାଞ୍ଚ ପରେ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ମିଳିବ। ସେହି ଅନୁଯାୟୀ ୨୦୨୨-୨୩ରୁ ୨୦୨୪-୨୫ ଶିକ୍ଷାବର୍ଷ ମଧ୍ୟରେ ଯାଞ୍ଚ ହୋଇ ନଥିବା ପ୍ରସ୍ତାବଗୁଡ଼ିକୁ ଆସନ୍ତା ୩ ମାସ ମଧ୍ୟରେ ପଦକ୍ଷେପ ନେବାକୁ ଯୁଗ୍ମ ଯାଞ୍ଚ କମିଟିକୁ ପଠାଯିବ। ସମ୍ପୃକ୍ତ କଲେଜଗୁଡ଼ିକୁ ସ୍ଥାୟୀ ଅନୁମୋଦନ ମିଳିବ କି ନାହିଁ ତାହା ଉପରେ କମିଟି ନିଷ୍ପତ୍ତି ନେବ।