ପାଟନା: ମୋତିହାରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଣମାଧ୍ୟମ କର୍ମୀଙ୍କ ଉପରେ ବିଗିଡିି ଯାଇଛନ୍ତି । ସେ କହିଛନ୍ତି, ମୁଁ ଯାହା କହିଥିଲି ତାହା ନ ଛାପି ଭୁଲ୍ ଖବର ଛପା ଯାଇଛି । ଯଦି ଏହିପରି ଭାବରେ ଭୁଲ୍ ଖବର ଆପଣମାନେ ଛାପିବେ ତେବେ ଆମେ ତୁମ ପାଟି ବି ବନ୍ଦ କରିଦେଇପାରିବୁ । ତାଙ୍କ କହିବା ଅନୁସାରେ ଏହି କାର୍ଯ୍ୟକ୍ରମରେ ସେ ଯାହା ବି ବୟାନ ଦେଇଛନ୍ତି ତାହାର ଭୁଲ୍ ଅର୍ଥ ବାହାର କରିଛନ୍ତି ମିଡିଆକର୍ମୀ । ବିଜେପି ସହ ସେ ଅଛନ୍ତି ଏପରି କୌଣସି କଥା ସେ କହିନାହାନ୍ତି ବୋଲି କହିଛନ୍ତି । ନୀତିଶ କହିଛନ୍ତି ସେ ତ କେବଳ ଏହା କହିଛନ୍ତି କି କିପରି ଭାବରେ ସେଣ୍ଟ୍ରାଲ ୟୁନିଭରସିଟିର ସ୍ଥାପନା ଲାଗି ସରକାରଙ୍କ ପକ୍ଷରୁ ପ୍ରୟାସ କରାଯାଇଥିଲା ।
କିଛି ଗଣମାଧ୍ୟମ ଏହି କାର୍ଯ୍ୟକ୍ରମରେ ମୋ ବୟାନର ଭୁଲ୍ ଅର୍ଥ ବାହାର କରିଛନ୍ତି । ଏହାଦ୍ୱାରା ଆମକୁ ସମସ୍ୟା ପହଞ୍ଚିଛି । ମୁଁ ତ କେବଳ କହିଥିଲି କି ବିହାରରେ ପୂର୍ବ ଅପେକ୍ଷା ଅଧିକ କାମ ହୋଇଛି ବୋଲି ।
ଏଠାରେ ସୂଚାଇ ଦିଆଯାଇପାରେ କି ମୋତିହାରୀ ସେଣ୍ଟ୍ରାଲ ୟୁନିଭରସିଟ କାର୍ଯ୍ୟକ୍ରମରେ ନୀତିଶ କୁମାର ଯେତେବେଳେ ମଞ୍ଚରୁ ନିଜର ବୟାନ ରଖୁଥିଲେ ସେତେବେଳେ ସେଠାରେ ବିହାର ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କ ସହିତ ବହୁ ବିଜେପି ନେତା ଉପସ୍ଥିତ ଥିଲେ । ନୀତିଶ ନିଜର ସମ୍ବୋଧନ ସମୟରେ କହିଥିଲେ କି ଯେତେ ଲୋକ ଏବେ ଏଠାରେ ଅଛନ୍ତି ସମସ୍ତେ ଆମର ସାଥୀ । ଆମେ ଅଲଗା ତୁମେ ଅଲଗା ଏହାର କୌଣସି ଅର୍ଥ ନାହିଁ । ଯେ ପର୍ଯ୍ୟନ୍ତ ବଞ୍ଚି ରହିଛୁ ସେ ପର୍ଯ୍ୟନ୍ତ ଆପଣମାନଙ୍କ ସହ(ବିଜେପି) ବନ୍ଧୁତା ତିଷ୍ଠି ରହିବ ।