fbpx

ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବାକୁ ଚାହୁଁଛନ୍ତି କି? ପିତା-ମାତା କରନ୍ତୁ ଏହି ଉପାୟ

ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବାରେ ପିତାମାତାଙ୍କର ସବୁଠାରୁ ବଡ଼ ଭୂମିକା ରହିଥାଏ । ପିଲାମାନଙ୍କ ପାଖରେ ଆତ୍ମବିଶ୍ୱାସ ରହିବା ମଧ୍ୟ ବେଶ ଜରୁରୀ । ଏହି ପରି ପିଲାମାନେ ହିଁ ଆଗକୁ ଯାଇ ଜୀବନରେ ସଫଳତା ହାସଲ କରିଥାନ୍ତି । ଜଣେ ଆତ୍ମବିଶ୍ୱାସୀ ପିଲା ହିଁ ସମସ୍ତଙ୍କ ସାମ୍ନାରେ ନିଜ କଥା ଖୋଲିକରି କହିପାରେ । ସେ ଅଜଣା ବ୍ୟକ୍ତିମାନଙ୍କ ସହିତ ବେଶ ଆରାମରେ ବନ୍ଧୁତା ମଧ୍ୟ ସ୍ଥାପନ କରିପାରେ । ତେବେ ଏପରି ପିଲା ନିଜ ଉପରେ ବିଶ୍ୱାସ ରଖିବା ସହିତ ପ୍ରତିକୂଳ ପରିସ୍ଥିତିରେ ସହଜରେ ହାର ମାନିନଥାଏ ।

ଏପରି ପରିସ୍ଥିତିରେ ପିତାମାତାଙ୍କର ଏହା କର୍ତ୍ତବ୍ୟ ହୋଇଥାଏ ଯେ ସେମାନେ ନିଜ ପିଲାମାନଙ୍କର ଆତ୍ମବିଶ୍ୱାସ ବଢ଼ାନ୍ତୁ । ତେବେ ଯଦି ଆପଣ ମଧ୍ୟ ନିଜ ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବାକୁ ଚାହୁଁଛନ୍ତି ତେବେ ଏହି ୫ଟି କଧଥାଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।

ପିଲାମାନଙ୍କର ପ୍ରତି ଛୋଟ ଉପଲବ୍ଧିର ପ୍ରଶଂସା କରନ୍ତୁ- ଚିତ୍ର ଆଙ୍କିବା ହେଉ ଅବା କବିତା ପଢ଼ିବା ହେଉ କିମ୍ବା କୌଣସି ଖେଳରେ ସଫଳତା ହେଉ, ପିଲାମାନଙ୍କର ପ୍ରତ୍ୟେକ ଉପଲବ୍ଧିରେ ପିତାମାତା ପିଲାକୁ ପ୍ରୋତ୍ସାହିତ କରିବା ଉଚିତ । ଏହା ଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିବା ସହିତ ସେମାନଙ୍କ ମଧ୍ୟରେ ସାହସ ମଧ୍ୟ ବଢ଼ିଥାଏ ।

ସେମାନଙ୍କୁ ନିଜର ବିଚାର ବ୍ୟକ୍ତ କରିବାର ସୁଯୋଗ ଦିଅନ୍ତୁ- ମାତାପିତା ପିଲାମାନଙ୍କ ସହିତ ଖୋଲାଖୋଲି କଥା ହେବା ନିହାତି ଜରୁରୀ । ସେମାନଙ୍କୁ ସେମାନଙ୍କ କଥା ତଥା ବିଚାର ବ୍ୟକ୍ତ କରିବାର ପୂର୍ଣ୍ଣ ସ୍ୱାଧୀନତା ଦେବା ଅତ୍ୟନ୍ତ ଆବଶ୍ୟକ । ଏପରିକି ଆବଶ୍ୟକ ସ୍ଥଳେ ସେମାନଙ୍କ ବିଚାର ଉପରେ ଚର୍ଚ୍ଚା ମଧ୍ୟ କରନ୍ତୁ । କିନ୍ତୁ ସେମାନଙ୍କ କଥାକୁ ଭୁଲ କିମ୍ବା ଠିକ ପ୍ରମାଣିତ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ବହୁମାତ୍ରାରେ ପ୍ରଭାବିତ ହୋଇଥାଏ ।

ନୂତନ ଆହ୍ୱାନ ପାଇଁ ପ୍ରୋତ୍ସାହିତ କରନ୍ତୁ- ପିଲାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ସେମାନଙ୍କୁ ନୂତନ ଆହ୍ୱାନ ନୂଆ ଚ୍ୟାଲେଞ୍ଜ ସାମ୍ନା କରିବା ଅତ୍ୟନ୍ତ ଆବଶ୍ୟକ । ତେବେ ଏଥିପାଇଁ ପିତାମାତାଙ୍କୁ ସେମାନଙ୍କର ସାହସ ବଢ଼ାଇବାକୁ ପଡ଼ିବ । ତେବେ ଏଥିପାଇଁ ସେମାନଙ୍କୁ ନୂଆ ନୂଆ ଖେଳ, ନୂତନ ଆକ୍ଟିଭିଟି କରିବା ପାଇଁ ପ୍ରୋତ୍ସାହିତ କରିବା ଆବଶ୍ୟକ । କଠିନ ପରିସ୍ଥିତିରେ ମଧ୍ୟ ସେମାନଙ୍କୁ ସକାରାତ୍ମକ ମନୋଭାବ ରଖିବାକୁ ଶିଖାନ୍ତୁ ।

ସେମାନଙ୍କୁ ଭୁଲରୁ ଶିଖିବାକୁ ଦିଅନ୍ତୁ- ପିଲମାନଙ୍କୁ ଭୁଲ କରିବାକୁ ଦିଅନ୍ତୁ । ଅନେକ ସମୟରେ ଆମେ ବଡ଼ମାନେ ମଧ୍ୟ ଭୁଲ କରି ସେଥିରୁ ଶିକ୍ଷା ଗ୍ରହର କରିଥାଉ । ତେବେ ପିଲାମାନେ ତ’ ଭୁଲ କରିବା ସ୍ୱଭାବିକ । ଏପରି ସ୍ଥଳେ ପିଲାମାନେ ଭୁଲ କରିବାସେମାନଙ୍କର ଅଧିକାର । ତେଣୁ ସେମାନଙ୍କୁ ଭୁଲ କରି ସେଥିରୁ ଶିଖିବାକୁ ଦିଅନ୍ତୁ । ଏହା ଦ୍ୱାରା ସେମାନେ ଆତ୍ମବିଶ୍ୱାସୀ ହେବା ସହିତ ଆତ୍ମନିର୍ଭର ମଧ୍ୟ ହେବେ ।

ନିଜକୁ ସେମାନଙ୍କର ରୋଲ-ମଡେଲ ବନାନ୍ତୁ- ପିଲାମାନଙ୍କଠାରେ କନଫିଡେନ୍ସ ବଢ଼ାଇବାର ସବୁଠାରୁ ଭଲ ଉପାୟ ହେଉଛି କି ପିତାମାତା ନିଜକୁ ସେମାନଙ୍କର ଆଦର୍ଶ ବନାନ୍ତୁ । ଜୀବନରେ କିପରି ଆଗକୁ ବଢ଼ିବେ ତାହା ପିଲାମାନେ ନିଜ ମାତା-ପିତାଙ୍କଠାରୁ ହିଁ ଶିଖିଥାନ୍ତି । ଏପରି ସ୍ଥିତିରେ ପିତାମାତାଙ୍କୁ ପ୍ରତି କ୍ଷେତ୍ରରେ ଆତ୍ମବିଶ୍ୱାସରେ ଭରପୁର ହେବାକୁ ପଡ଼ିବ । ତେଣୁ ପ୍ରଥମେ ସମସ୍ତ ପରିସ୍ଥିତିକୁ ସାମ୍ନାକରିବା ଶିଖନ୍ତୁ । ଏହା ସହିତ ନିଜ ଭୁଲକୁ ସ୍ୱୀକାର କରିବା ମଧ୍ୟ ଶିଖିବା ଉଚିତ ।ଏପରି କରିବା ଦ୍ୱାରା ଆପଣ ନିଜ ପିଲାପାଇଁ ଏକ ଭଲ ଆଦର୍ଶ ବା ରୋଲମଡେଲ ହୋଇପାରିବେ ।

Get real time updates directly on you device, subscribe now.