ଓଡ଼ିଶା ଭାସ୍କର: ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଚୋରା ଚାଲାଣ ବେଳେ ଏକ ମହୁଲ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କରିଛି ଅବକାରୀ ବିଭାଗ । ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲାପାଳ ସୋମେସ କୁମାର ଉପାଧ୍ୟାୟ ଓ ଅବକାରୀ ଅଧିକ୍ଷିକା ବାସନ୍ତି ପ୍ରଭା ନାୟକଙ୍କ ନିର୍ଦ୍ଦେଶରେ ରାଟିରେ ଅବକାରୀ ବିଭାଗ ମୋବାଇଲ ଇନ୍ସପେକ୍ଟର ତେଲିଶ୍ୱର ଲାକ୍ରା ଓ ବାରକୋଟ ଅବକାରୀ ଥାନା ସବ ଇନ୍ସପେକ୍ଟର ସୀମା କିରେଇ ବାରକୋଟ-ବଣାଇଁ ୧୪୩ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲେ ।
ସୂଚନାରୁ ପ୍ରକାଶ ଗୁରୁବାର ଭୋର ପ୍ରାୟ ୪ ଟାରେ ଏକ ପିକଅପ୍ ଭ୍ୟାନ୍ ବାରକୋଟ ପଟୁ ସୁନ୍ଦରଗଡ ଜିଲାର ବଣାଇଁ ଅଭିମୁଖେ ଯାଉଥିବା ସମୟରେ ଅବକାରୀ ବିଭାଗ ଭ୍ୟାନଟିକୁ ଅଟକାଇବା ସହ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଉକ୍ତ ପିକଅପ୍ ଭ୍ୟାନରେ ପ୍ରାୟ ୨୦ କ୍ୱିଣ୍ଟାଲ ମହୁଲ ରହିଥିବା ଜଣିପଡ଼ିଥିଲା । ଏ ସମ୍ପର୍କିତ କୌଣସି ବୈଧ କାଗଜ ପତ୍ର ନଥିବାରୁ ମହୁଲ ବୋଝେଇ ପିକଅପ୍ ଭ୍ୟାନଟିକୁ ଜବତ କରାଯିବା ସହ ଉକ୍ତ ମହୁଲ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିଥିଲା ପୋଲିସ । ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାରକୋଟ ଥାନା କାଦୋପଡା ଗ୍ରାମର ଅମୁଲ୍ୟ ସାହୁ (୪୩), ତୁପା ମୁଣ୍ଡା(୨୫), ମିରିଡା ମୁଣ୍ଡା (୨୫) ଓ ବାରକୋଟ ଥାନା କଲା ଗ୍ରାମର ଲୁଲୁ ସାହୁ (୩୦) ଜବତ ହୋଇଥିବା ମହୁଲର ବଜାର ଦର ପ୍ରାୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।