fbpx

IMD Red Alert: ଓଡ଼ିଶା ସମେତ ୨୨ଟି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, କିଛି ରାଜ୍ୟରେ ବନ୍ୟା ଓ ଭୂ-ସ୍ଖଳନ ଆଶଙ୍କା

ନୂଆଦିଲ୍ଲୀ: ଆସନ୍ତା ୫ ଦିନ ଉତ୍ତର ଭାରତରେ ପ୍ରବଳ ବର୍ଷା ଅନୁଭୂତ ହେବ । ସେଥିପାଇଁ ଜମ୍ମୁ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ୮-୯ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଚେତାବନୀ ଦିଆଯାଇଛି । ପ୍ରବଳ ବର୍ଷା କାରଣରୁ ୮ଟି ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି । ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ଗୋଆ-କର୍ଣ୍ଣାଟକ ଉପକୂଳବର୍ତ୍ତୀ ଓ ନାଗାଲାଣ୍ଡର କିଛି ଅଞ୍ଚଳରେ ପାଣିରେ ବୁଡ଼ି ଯାଇଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁତାବକ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜରାଟ, ଦିଲ୍ଲୀ, ପଞ୍ଜାବ, ହରିୟାଣା, ସିକିମ, ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ମିଜୋରାମ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ, ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଗୋଆରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବିହାର, ତେଲେଙ୍ଗାନାରେ ବିଜୁଳି ମାରିବା ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଆନ୍ଧ୍ରପ୍ରଦେଶର ରାୟଲସୀମା, ମହାରାଷ୍ଟ୍ରର ମରାଠାୱାଡ଼, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁରେ ପାଗ ଶୁଖିଲା ରହିବା ସହିତ ବର୍ଷା ସମ୍ଭାବନା ନାହିଁ । ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥିସହିତ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଯାତ୍ରା ନ କରିବାକୁ ଚେତାବନୀ ଦିଆଯାଇଛି । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରେଡ୍ ଆଲର୍ଟ ଜାରି କରାଯାଇଛି । ଏଥିସହିତ ବନ୍ୟା ଓ ଭୂ-ସ୍ଖଳନ ସମ୍ଭାବନା ରହିଥିବାରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କତା ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.