fbpx

ଭାରତର ଆର୍ଥିକ ଅଭିବୃଦ୍ଧି ହାର ପୂର୍ବାନୁମାନକୁ ୩ ପ୍ରତିଶତ ହ୍ରାସ କଲା ଆଇଏମଏଫ

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଚଳିତ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରର ପୂର୍ବାନୁମାନକୁ ୯.୫ ପ୍ରତିଶତକୁ ହ୍ରାସ କରିଛି । ଏହାପୂର୍ବରୁ ଏପ୍ରିଲରେ, ଆଇଏମ୍ଏଫ୍ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାର ୧୨.୫ ପ୍ରତିଶତ ରହିବା ନେଇ ଆକଳନ କରିଥିଲା । ସେହିଭଳି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ବୋଲି ଆକଳନ କରାଯାଇଛି ପୂର୍ବରୁ ଏହି ଆକଳନ ୬.୯ ପ୍ରତିଶତ ଥିଲା ।

ନିକଟରେ ଆଇଏମ୍ଏଫ୍ ତରଫରୁ କୁହାଯାଇଥିଲା ଯେ ମାର୍ଚ୍ଚ-ମେ ମଧ୍ୟରେ କରୋନାର ଦ୍ୱିତୀୟ ଲହର ଅଭିବୃଦ୍ଧିରେ ଘୋର ପ୍ରତିବନ୍ଧକ ସୃଷ୍ଟି କରିଛି । ଦେଶର ଅର୍ଥନୀତିକୁ କ୍ଷତି ପହଞ୍ଚିଛି ଏବଂ ଟ୍ରାକକୁ ଫେରିବା ପାଇଁ ସମୟ ଲାଗିବ । ତେବେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିରେ ୭.୩ ପ୍ରତିଶତ ହ୍ରାସ ଘଟିଛି । ସେବେଠାରୁ ଅର୍ଥନୀତି ଧୀରେ ଧୀରେ ସୁଧୁରୁଛି ।

ଏହାପୂର୍ବରୁ, ଆହୁରି ଅନେକ ଏଜେନ୍ସି ଭାରତୀୟ ଅର୍ଥନୀତି ପାଇଁ ଅଭିବୃଦ୍ଧି ହାର ଆକଳନକୁ ହ୍ରାସ କରିଛନ୍ତି। ଗତ ମାସରେ, ଏସ୍ ଆଣ୍ଡ ପି ଗ୍ଲୋବାଲ୍ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାରକୁ ୯.୫ ପ୍ରତିଶତ ଏବଂ ୨୦୨୦-୨୩ ଆର୍ଥିକ ବର୍ଷ ପାଇଁ ୭.୮ ପ୍ରତିଶତ ଆକଳନ କରିଛି। ପୂର୍ବରୁ ବିଶ୍ୱ ବ୍ୟାଙ୍କ ନିଜ ରିପୋର୍ଟରେ କହିଛି ଯେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୩ ପ୍ରତିଶତ ହେବ । ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୧୦ ପ୍ରତିଶତ ହେବ ବୋଲି ଏସୀୟ ବିକାଶ ବ୍ୟାଙ୍କ କହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ୨.୮୭ ଟ୍ରିଲିୟନ ଡଲାର ହୋଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୨.୬୬ ଟ୍ରିଲିୟନ ଡ଼ଲାରକୁ ହ୍ରାସ ପାଇଛି । ତେବେ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଏହା ୪ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।

ଆଇଏମ୍ଏଫ୍ ଏହାର ରିପୋର୍ଟରେ କହିଛି ଯେ ୨୦୨୧ ମସିହାରେ ବିଶ୍ୱ ଅର୍ଥନୀତି ୬ ପ୍ରତିଶତ ହାରରେ ବୃଦ୍ଧି ପାଇବ । ୨୦୨୨ ପାଇଁ ଅଭିବୃଦ୍ଧି ହାର ୪.୯ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । କେୟାର ରେଟିଂ ଏହାର ରିପୋର୍ଟରେ କହିଛି ଯେ ଚଳିତ ଆର୍ଥିକ ବର୍ଷରେ (୨୦୨୧-୨୨) ଦେଶର ଅର୍ଥନୀତିରେ ୮.୮-୯ ପ୍ରତିଶତ ଅଭିବୃଦ୍ଧି ଘଟିବ । ଏଥିରେ କୃଷି ଏବଂ ଶିଳ୍ପଗୁଡ଼ିକର ଏକ ବଡ଼ ଅବଦାନ ରହିବ । ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ୭.୩ ପ୍ରତିଶତ ହ୍ରାସ ଘଟିଛି।

Get real time updates directly on you device, subscribe now.