fbpx

ଆଜିଠାରୁ ଆରମ୍ଭ ପବିତ୍ର ଦେବଶୟନୀ ଏକାଦଶୀ: ଜାଣନ୍ତୁ ବ୍ରତର ଶୁଭ ମୂହୁର୍ତ୍ତ ଓ ପୂଜାବିଧି

ଓଡ଼ିଶା ଭାସ୍କର: ହିନ୍ଦୁଧର୍ମରେ ଦେବଶୟନୀ ଏକାଦଶୀକୁ ବିଶେଷ ମାନ୍ୟତା ଦିଆ ଯାଇଥାଏ । ଆଷାଢ ମାସର ଏକାଦଶୀ ତିଥିରେ ଦେବଶୟନୀ ଏକାଦଶୀ ପଡ଼ିଥାଏ । ଏହି ଦିନ ଠାରୁ ଚୁତୁର୍ମାସର ଆରମ୍ଭ ହୋଇଥାଏ । ଏହି ଚତୁର୍ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଲୀନ ହୋଇ ଯାଇଥାନ୍ତି । ଶ୍ରୀ ବିଷ୍ଣୁ ଯୋଗ ନିଦ୍ରାରେ ଥିବାରୁ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । କିନ୍ତୁ ଭଗବାନ ବିଷ୍ଣୁଙ୍କର ପୂଜା ଏବଂ ବ୍ରତ କରା ଯାଇପାରିବ । ଚତୁର୍ମାସ ଆରମ୍ଭ ହେବା ପରେ ବିବାହ ଏବଂ ଗୃହ ପ୍ରବେଶ ଭଳି ଶୁଭ କାର୍ଯ୍ୟ ବନ୍ଦ ରହିଥାଏ ।

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ରହିଥିବାରୁ ଭଗବାନ ମହେଶ୍ୱର ବିଶ୍ୱର କାର୍ଯ୍ୟଭାର ସମ୍ଭାଳି ଥାଆନ୍ତି । ବିଶ୍ୱାସ କରାଯାଏ ମହାଭାରତ ସମୟରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିର ଏବଂ ଅଜୁନଙ୍କୁ ଏହି ଏକାଦଶୀ ବ୍ରତ ବିଷୟରେ ବିସ୍ତାର କରି ବର୍ଣ୍ଣନା କରିଥିଲେ । ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ ଧର୍ମରାଜ ଏହି ବ୍ରତକୁ ବିଧି ଅନୁସାରେ ପାଳନ କରିଥିଲେ । ଏହା ପରଠାରୁ ହିଁ ଏହି ବ୍ରତକୁ ଲୋକମାନେ ପାଳନ କରି ଆସୁଛନ୍ତି ।

ଦେବଶୟନୀ ବ୍ରତର ଶୁଭ ମୂହୁର୍ତ୍ତ:
ଆଷାଢ ମାସ ଶୁକ୍ଳ ଏକାଦଶୀ ତିଥି ୯ଜୁଲାଇ ଶନିବାର ସନ୍ଧ୍ୟା ୦୪.୩୯ ମିନିଟରୁ ଆରମ୍ଭ ହୋଇ ୧୦ ଜୁଲାଇ ରବିବାର ଦ୍ୱିପ୍ରହର ୦୨.୧୩ ପର୍ଯ୍ୟନ୍ତ ରହିଛି । ଶୁଭ ଯୋଗର ପ୍ରାରମ୍ଭ ସମୟ ୧୦ ଜୁଲାଇ ସକାଳ ସମୟରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି ୧୨.୪୫ ମିନିଟରେ ଶେଷ ହେବ । ଏବଂ ବ୍ରତ ଧାରଣର ସମୟ ୧୧ ଜୁଲାଇ ପ୍ରାତଃ ସମୟ ୦୫.୩୧ ମିନିଟରୁ ସକାଳ ୦୮. ୧୭ ମିନିଟ ପର୍ଯ୍ୟନ୍ତ ରହିଛି ।

ବ୍ରତ ଓ ପୂଜାବିଧି:
ବ୍ରତ ଦିନ ପ୍ରାତଃ ସ୍ନାନ ସାରି ପୂଜା ସଂକଳ୍ପ କରିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ ହାତରେ ଜଳ ଓ ପୁଷ୍ପ ଧରି ସଂକଳ୍ପ କରିବାକୁ ହେବ । ଶୟନ ଏକାଦଶୀ ହୋଇଥିବାରୁ ଭଗବାନ ବିଷ୍ଣୁଙ୍କ ଶୟନମୁଦ୍ରାର ଏକ ଫଟୋଚିତ୍ରକୁ ସ୍ଥାପନ କରି ପୂଜା କରିବାକୁ ହେବ । ନାରାୟଣଙ୍କ ଅତିପ୍ରିୟ ହଳଦିଆ ବସ୍ତ୍ର, ହଳଦିଆ ଫୁଲ, ଫଳ, ଚନ୍ଦନ, ପାନ ପତ୍ର, ସୁପାରୀ, ତୁଳସୀ ପତ୍ର, ପଞ୍ଚାମୃତ ଆଦି ଭଗବାନଙ୍କ ନିକଟରେ ଅର୍ପଣ କରିବେ । ବ୍ରତ ସମୟରେ ‘ଓମ ଭଗବତେ ବାସୁଦେବାୟ ନମଃ’ର ମନ୍ତ୍ର ଜପ କରିବାକୁ ହୋଇଥାଏ ।
ବ୍ରତ ଦିନ ବିଷ୍ଣୁ ଚାଳିସା, ବିଷ୍ଣୁ ସହସ୍ର ନାମ ଏବଂ ଦେବଶୟନୀ ଏକାଦଶୀ ବ୍ରତ କଥା ପାଠ କରାଯାଇଥାଏ । ବିଷ୍ଣୁଙ୍କ ଆଳତୀ ଦ୍ୱାରା ପୂଜା ଶେଷ ହୋଇଥାଏ । ବ୍ରତ ଦିନ କେବଳ ଫଳମୂଳ ଖାଇ ରହିବା ସହ ଭଜନ କୀର୍ତ୍ତନ କରି ରାତ୍ରି ଉଜାଗର ହୋଇ ରହିବାକୁ ହୋଇଥାଏ । ବ୍ରତ ପର ଦିନ ସ୍ନାନ ସାରି ବିଷ୍ଣୁଙ୍କୁ ପୂଜା କରି ବ୍ରାହ୍ମଣଙ୍କ ବସ୍ତ୍ର, ଅନ୍ନ ସହ ଦକ୍ଷିଣା ଦେବାକୁ ହୋଇଥାଏ । ଏହି ନୀତି ନିୟମକୁ ଅନୁସରଣ କରି ଦେବଶୟନୀ ଏକାଦଶୀ ବ୍ରତ ପାଳନ କରାଯାଇଥାଏ ।

Get real time updates directly on you device, subscribe now.