ପର୍ଯ୍ୟାବରଣ ପାଇଁ ନିଆରା ବାର୍ତ୍ତା; ଅଦରକାରୀ ପ୍ଲାଷ୍ଟିକକୁ ଦେଉଛନ୍ତି ସୁନ୍ଦର ଘର କରଣାର ରୂପ, ପାଠପଢ଼ା ସହ ନିଜ ସଉକ ପୁରା କରୁଛନ୍ତି ITI ଛାତ୍ର ଶଶାଙ୍କ
ଗଞ୍ଜାମ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଅଦରକାରୀ ପ୍ଲାଷ୍ଟିକ ବସ୍ତୁରୁ ସୁନ୍ଦର ସୁନ୍ଦର ଘର କରଣା ତିଆରି କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି । ତାଙ୍କ ହାତର ଯାଦୁ ଦେଖି ସତରେ ଯେପରି ଆଖି ଲାଖିଯାଉଛି । ଏହାର ଏକ ଜୀବନ୍ତ ଉଦାହରଣ ସାଜିଛନ୍ତି ବ୍ରହ୍ମପୁର ସରକାରୀ ITI ଛାତ୍ର ଶଶାଙ୍କ ଶେଖର ମହାପାତ୍ର ।
ସାଧାରଣତଃ ଆମେ ଅଦରକାରୀ ପ୍ଲାଷ୍ଟିକ ବୋତଲ ଫୋପାଡ଼ି ଦେଇଥାଉ । କିନ୍ତୁ ଏହାକୁ ମଧ୍ୟ ସୁନ୍ଦର ଘର ସାଜସଜ୍ଜା ସାମଗ୍ରୀ ଭାବରେ ବ୍ୟବହାର କରିହେବ କେବେ ଭାବିଥିଲେ । ବ୍ରହ୍ମପୁର ସରକାରୀ ITIରେ ଅଦରକାରୀ ସାମଗ୍ରୀରେ କିପରି ବିଭିନ୍ନ ପ୍ରକାରର ଜିନିଷ ନିର୍ମାଣ ବିଷୟରେ ତାଲିମ ଦିଆଯାଇଥାଏ । ପାଠପଢ଼ା ଶେଷ କରିବା ପରେ ଏହାକୁ ପ୍ରମାଣିତ କରିଛନ୍ତି ସ୍ଥାନୀୟ ଆମ୍ବପୁଆ ବୀମା ନଗର ଛକର ଦ୍ୱାରିକାନାଥ ମହାପାତ୍ରଙ୍କ ପୁଅ ଶଶାଙ୍କ ଶେଖର ମହାପାତ୍ର । ଶଶାଙ୍କ ପିଲାଟି ଦିନରୁ ଅଦରକାରକାରୀ ବସ୍ତୁକୁ ସଂଗ୍ରହ କରିବା ସହ ସେଥିରେ କିଛି ନିଆରା କଳାକୃତି ନିର୍ମାଣ କରିବା ତାଙ୍କ ନିଶା ଥିଲା । ୨୦୨୨ରେ ସେ ଆଇଟିଆଇରେ ପାଠପଢ଼ା ଆରମ୍ଭ କରିଥିଲେ । ଏହାର ୬ ମାସ ପରେ ସେ ଖାଲି ପ୍ଲାଷ୍ଟିକ୍ ବୋତଲ, ସୋଲ, ପେପର, ଆଇସକ୍ରିମ କପ୍, ଷ୍ଟିକ୍, ଚେନ୍ କ୍ରାଙ୍କ ସଂଗ୍ରହ କରିଥିଲେ। ସେଥିରେ ଆଇରନ ମ୍ୟାନ୍, ଫୁଲଦାନି, ଡୋରେମନ୍, ବେଡ୍ ଲ୍ୟାମ୍ପ, ୱେଷ୍ଟ୍ ରୋବର୍ଟ, ଗୀତାର, କାନ୍ଥ ଘଣ୍ଟା ପ୍ରସ୍ତୁତ କରିଛନ୍ତି । ସେ ଘରେ ୨୦ରୁ ଅଧିକ କଳାକୃତିକୁ ତିଆରି କରି ରଖୁଛନ୍ତି । ସେଥ୍ ମଧ୍ୟରୁ ଭଙ୍ଗା ୱାଟର ପ୍ୟୁରିଫାୟର, ଆଟା, କାଗଜ ଓ ବିଭିନ୍ନ ରଙ୍ଗକୁ ବ୍ୟବହାର କରି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଏବଂ ପ୍ଲାଷ୍ଟିକ ବୋତଲରେ ନିର୍ମିତ ରୋବର୍ଟ, ଡୋରେମନ୍ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଇଟିଆଇରେ ପଢ଼ିବା ସମୟରେ ଏହି ଇଚ୍ଛା ଶକ୍ତି ଆହୁରି ଦୃଢ଼ିଭୂତ ହୋଇଥିଲା । ବର୍ତ୍ତମାନ ତାଙ୍କୁ ଗୋଟିଏ କଳାକୃତି ପାଇଁ ଗୋଟିଏ ସପ୍ତାହରୁ ୧୫ ଦିନ ପର୍ଯ୍ୟନ୍ତ ସମୟ ଲାଗୁଛି । ନିୟମିତ ୨ରୁ ୩ ଘଣ୍ଟା ସେ ଏଥିରେ ଅତିବାହିତ କରନ୍ତି ।
ଶଶାଙ୍କ ତାଙ୍କ ନିଆରା କଳାକୃତି ମାଧ୍ୟମରେ ସମାଜକୁ ଏକ ଉତ୍ତମ ବାର୍ତ୍ତା ଦେଇଛନ୍ତି । ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଶଶାଙ୍କ ଏହି ମହତ ଉଦ୍ଦେଶ୍ୟ ତାଙ୍କୁ ଜୀବନରେ ଅନେକ ସଫଳତା ପ୍ରଦାନ କରିବ ବୋଲି ଆଶା ।