fbpx

ଏକ ବିରଳ ଗର୍ଭଧାରଣ: ମହିଳାଙ୍କ ଗର୍ଭରୁ ଜନ୍ମନେଲେ ଯମଜ ସନ୍ତାନ, ପ୍ରଥମ ଶିଶୁ ଜନ୍ମ ହେବାର ୨୨ ଦିନ ପରେ ଦ୍ୱିତୀୟ ଜନ୍ମ ନେଲା

ନୂଆଦିଲ୍ଲୀ: ଆଜିର ସମୟରେ ଯମଜ ସନ୍ତାନ ଜନ୍ମନେବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏହା ମଧ୍ୟରେ ଇଂଲଣ୍ଡରୁ ଏକ ଅଜବ ଗର୍ଭଧାରଣ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରଥମ ଶିଶୁ ଜନ୍ମ ହେବାର ୨୨ ଦିନ ପରେ ଦ୍ୱିତୀୟ ଶିଶୁ ଜନ୍ମ ନେଇଥିଲା । ଏହି ପୂରା ମାମଲା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ଥୟ ।

ଏକ ରିପୋର୍ଟ ମୁତାବକ, ଇଂଲଣ୍ଡରେ ରହୁଥିବା କାୟଲୀ ଡାୟଲ ନାମକ ଜଣେ ମହିଳା ଗର୍ଭବତୀ ଥିଲେ । ସେ ଯମଜ ସନ୍ତାନଙ୍କ ମାଆ ହେବେ ବୋଲି ଡାକ୍ତର ଯେତେବେଳେ ତାଙ୍କୁ କିଛି ମାସ ପୂର୍ବରୁ କହିଥିଲେ ସେତେବେଳେ କାୟଲୀ ଖୁସିରେ ଝୁମି ଉଠିଥିଲେ । ସମସ୍ତ ସ୍କାନ ସାମାନ୍ୟ ରହିବା ସହିତ ଦୁଇ ଶିଶୁ ସୁସ୍ଥ ରହିଥିବା ଡାକ୍ତର କହିଥିଲେ । ୨୨ତମ ସପ୍ତାହ ପର୍ଯ୍ୟନ୍ତ କୌଣସି ସମସ୍ୟା ଦେଖାଦେଇନଥିଲା । ତେବେ ଦିନେ ଅଚାନକ ମହିଳାଙ୍କର ପେଟ ଭୟଙ୍କର ଭାବେ ଯନ୍ତ୍ରଣା ହୋଇଥିଲା । ଫଳରେ ସେ ଶେଯରୁ ଉଠିପାରିନଥିଲେ । ଫଳରେ କାୟଲୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାପରେ କାୟଲୀଙ୍କୁ ୫ ଦିନ ପର୍ଯ୍ୟନ୍ତ ନଜର ରଖାଯାଇଥିଲା ଓ ସେ ପ୍ରଥମ ଶିଶୁଟିକୁ ପ୍ରାକୃତିକ ଭାବେ ଜନ୍ମ ଦେଇଥିଲେ । ଶିଶୁଟିର ଓଜନ କେବଳ ୧.୧ ପାଉଣ୍ଡ ଥିଲା ଓ ସେ ମୃତ ଭାବେ ଜନ୍ମ ହୋଇଥିଲା । ତେବେ ଦ୍ୱିତୀୟ ଶିଶୁ ଆଉ କିଛି ଘଣ୍ଟା ପରେ ଜନ୍ମ ନେବ ବୋଲି ଡାକ୍ତର କହିବା ପରେ କାୟଲୀଙ୍କ ଚିନ୍ତା ବଢ଼ିଯାଇଥିଲା । ଏହାପରେ ଦୁଇଦିନ ସମୟ ବିତିଯାଇଥିବା ବେଳେ ଶିଶୁ ଜନ୍ମ ହୋଇନଥିଲା । ଅନ୍ୟପକ୍ଷରେ କାୟଲୀଙ୍କ ପ୍ରସବ ବେଦନ କିଛି ଘଣ୍ଟା ମଧ୍ୟରେ ବନ୍ଦ ହୋଇଯାଇଥିଲା ।

ଏହାପରେ ଆରାମ କରିବା ପାଇଁ ଡାକ୍ତର କାୟଲୀଙ୍କୁ ଘରକୁ ପଠାଇ ଦେଇଥିଲେ । ତେବେ ୨୨ ଦିନ ପରେ କାୟଲୀଙ୍କର ପେଟ ଯନ୍ତ୍ରଣା ପୁଣି ଆରମ୍ଭ ହେବାରୁ ତାଙ୍କୁ ଅନ୍ୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଶିଶୁଙ୍କ ଜନ୍ମ ବ୍ୟବଧାନ ଏତେ ଦିନ ରହିବା ନେଇ ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦ୍ୱିତୀୟ ଶିଶୁର ଓଜନ ୨ ପାଉଣ୍ଡ ରହିଥିବା ବେଳେ ତା’ର ହୃଦୟରେ ଛିଦ୍ର ଥିଲା ଓ ଆଖିରେ ସମସ୍ୟା ରହିଥିଲା । ପରେ ସେ ସୁସ୍ଥ ହୋଇଯାଇଥିଲା । ଗର୍ଭଧାରଣର ଏହା ଏକ ଅତ୍ୟନ୍ତ ଦୁର୍ଲ୍ଲଭ ମାମଲା ।

Get real time updates directly on you device, subscribe now.