fbpx

କେତେ ବୟସରେ ପିଲାକୁ ବ୍ରଶ କରାଇବେ ଜାଣନ୍ତି କି? କ’ଣ ରହିଛି ଡାକ୍ତରଙ୍କ ମତ ଆସନ୍ତୁ ଜାଣିବା

ଓଡ଼ିଶା ଭାସ୍କର: ଶିଶୁର ଦାନ୍ତ କେତେ ବୟସରେ ବ୍ରଶ କରାଯିବା ଉଚିତ ଏହା ୯୦% ମା-ବାପା ଜାଣି ନ ଥାନ୍ତି । ଦାନ୍ତ ଉଠିବା ପରେ ବି ସେମାନେ ପିଲାର ମାଢି ବହୁତ କୋମଳ ଭାବି ବ୍ରଶ କରାଇ ନ ଥାନ୍ତି । ବହୁ ପିତାମାତା ଭାବିଥାନ୍ତି ପିଲା ତ କେବଳ କ୍ଷୀର ପିଉଛି ତେଣୁ ତାର ବ୍ରଶ କରିବାର ଆବଶ୍ୟକତା କିଛି ନାହିଁ । ଏହି ଭୁଲ୍ ଧାରଣା କାରଣରୁ ଛୋଟ ପିଲାଙ୍କ ଦାନ୍ତରେ କ୍ୟାଭିଟି, ପୋକ ଲାଗିବା, ସଂକ୍ରମଣ, ହଳଦିଆ ପରସ୍ତ ପଡିବା, ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଦେଇଥାଏ । ବାସ୍ତବରେ ଛୋଟ ପିଲାଙ୍କୁ ବ୍ରଶ କରାଇବାର ସଠିକ୍ ବୟସ ବିଷୟରେ ବହୁ ପିତାମାତାଙ୍କୁ ଜଣା ନ ଥାଏ । ଏହି କାରଣରୁ ଯେତେବେଳକୁ ଦାନ୍ତ ବ୍ରଶ କରିବା ଆରମ୍ଭ କରାଯାଏ ସେତେବେଳକୁ ଦାନ୍ତ ଖରାପ ହୋଇଯାଇଥାଏ । ତେବେ ଏ ସଂପର୍କରେ ଡାକ୍ତରଙ୍କ ମତ କ’ଣ ରହିଛି ଆସନ୍ତୁ ଜାଣିବା ।

ପିଲାର ପାଟିରେ ପ୍ରଥମ ଦାନ୍ତ ଉଠିବା ପରେ ମାତା ପିତା ବ୍ରଶ କରିବା ଆରମ୍ଭ କରିଦେବା ଉଚିତ । ପ୍ରାୟତଃ ୬ମାସରୁ ବେବୀ ଟିଥ୍ ଉଠିଥାଏ । ଏହି ସମୟରୁ ଦାନ୍ତ ସଫା କରିବା ଉଚିତ ।
ତେବେ ଶିଶୁଙ୍କ ଦାନ୍ତର ବ୍ରଶ ବହୁତ ସାବଧାନତାର ସହ କରିବା ଉଚିତ । ପୁରା ହାଲକା ଭାବରେ ପିଲାର ଦାନ୍ତ ଉପରେ ବ୍ରଶ ଚଲାଇବା ଉଚିତ ଯେପରି ମାଢିକୁ ଏହା କ୍ଷତି ପହଞ୍ଚାଇବ ନାହିଁ ।

ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ବେବୀ ବ୍ରଶ ମିଳୁଛି । ଏହିସବୁ ବ୍ରଶ ଉପରେ କାର୍ଟୁନ ଚରିତ୍ର ରହିଛି । ଏହି ବ୍ରଶ ବହୁତ ନରମ ତଥା ମୁଲାୟମ ହେବା ଉଚିତ ।
ତେବେ ବ୍ରଶ ପରିବର୍ତ୍ତେ ଅଙ୍ଗୁଳିରେ ପାଟି ସଫା କରିବା ଦ୍ୱାରା ଦାନ୍ତରେ ଲାଗୁଥିବା କ୍ଷୀର କିମ୍ବା ଅନ୍ୟ କିଛି ଖାଦ୍ୟ ଠିକ୍ ଭାବେ ସଫା ହୋଇ ନ ଥାଏ । ତେବେ ଅଙ୍ଗୁଳିରେ କପଡା ଗୁଡାଇ ଦାନ୍ତ ଓ ଜିଭ ସଫା କରିପାରିବେ ।

ତେବେ ପିଲାକୁ ଟୁଥପେଷ୍ଟରେ ବି ବ୍ରଶ କରାଇ ପାରିବେ । କିନ୍ତୁ ଏହି ଟୁଥପେଷ୍ଟର ମାତ୍ରା ଏକ ଚାଉଳ ଦାନା ପରି ହେବା ଉଚିତ । ବଜାରରେ ବେବୀ ଟୁଥପେଷ୍ଟ ବି ମିଳୁଛି ଯେଉଁଥିରେ ପିଲାର ଦାନ୍ତ ବ୍ରଶ କରିପାରିବେ । ଏହା ବ୍ୟତିତ ୩ ବର୍ଷରୁ କମ୍ ବୟସର ପିଲାଙ୍କ ହାତରେ ବ୍ରଶ ଧରାଇ ଦେବା ଅନୁଚିତ । ସେମାନଙ୍କୁ ବେଶ୍ ଯତ୍ନର ସହ ଆପଣ ନିଜେ ବ୍ରଶ କରାଇ ଦିଅନ୍ତୁ ।

Get real time updates directly on you device, subscribe now.