IND vs AUS: ୧୯୫୨ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଘଟିଲା ଏଭଳି ଘଟଣା…

ମୁମ୍ୱାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ଉଦ୍ ଘାଟନୀ ମ୍ୟାଚ୍ ର ପ୍ରଥମ ଦିନରେ ହିଁ ପ୍ରଶଂସକଙ୍କ ରୋମାଞ୍ଚ ବଢ଼ିଯାଇଛି। ବୋଲରମାନେ ଏତେ ବିପର୍ଯ୍ୟୟ ଘଟାଇଥିଲେ ଯେ ଅଷ୍ଟ୍ରେଲିଆ ମାଟିରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହା ୧୯୫୨ ପରଠାରୁ ହୋଇନଥିଲା। ଦିନର ଖେଳ ବିଷୟରେ କହିବାକୁ ଗଲେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୫୦ ରନ୍ ରେ ସୀମିତ ରହିଥିଲା। ଏହାପରେ ବୁମ୍ରାଙ୍କ ନେତୃତ୍ୱରେ ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଅଷ୍ଟ୍ରେଲିଆର ଟପ୍ ଅର୍ଡରକୁ ଷ୍ଟମ୍ପ ପର୍ଯ୍ୟନ୍ତ ଭାଙ୍ଗି ମାତ୍ର ୬୭ ରନ୍ ରେ ୭ ୱିକେଟ୍ ହରାଇଥିଲେ।

ପର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମୋଟ ୧୭ ଟି ୱିକେଟ ପଡିଥିଲା । ଏଥିରେ ଜୋଶ ହେଜଲଉଡ୍ ଓ ଯଶପ୍ରୀତ ବୁମ୍ରା ୪ଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିପରି ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ମିଚେଲ ମାର୍ଶ ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ରୁ ଟେଷ୍ଟ ପଦାର୍ପଣ କରୁଥିବା ହର୍ଷିତ ରାଣାଙ୍କୁ ପ୍ରଥମ ଦିନରେ ସଫଳତା ମିଳିଥିଲା। ୧୯୫୨ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ମ୍ୟାଚ୍ ର ପ୍ରଥମ ଦିନରେ ୧୭ ୱିକେଟ୍ ପଡ଼ିଛି।

୭୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟର ପ୍ରଥମ ଦିନରେ ଏତେ ଓ୍ଵିକେଟ୍ ଖସିଥିଲା। ଶେଷ ଥର ପାଇଁ ୧୯୫୨ମସିହାରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିଡ୍ନି ଟେଷ୍ଟ୍ ରେ ଅଷ୍ଟ୍ରେଲିଆ ମାଟିରେ ଏଭଳି ଘଟଣା ଘଟିଥିଲା, ଯେଉଁଠାରେ ପ୍ରଥମ ଦିନରେ ୧୯ଟି ୱିକେଟ୍ ପଡ଼ିଥିଲା। ଅଷ୍ଟ୍ରେଲିଆ ୩୬.୨ ଓଭରରେ ୧୧୬ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ୱେଷ୍ଟଇଣ୍ଡିଜ୍ ୨୯.୬ ଓଭରରେ ୭୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ତେବେ ଟେଷ୍ଟର ପ୍ରଥମ ଦିନରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ୧୯୦୨ରେ ଇଂଲଣ୍ଡ ବିପକ୍ଷ ଆସେସ୍ ସମୟରେ ହୋଇଥିଲା। ସେହିଦିନ ମେଲବର୍ଣ୍ଣରେ ଉଭୟ ଦଳ ମୋଟ ୨୨୧ ରନ୍ କରିଥିଲେ ଏବଂ ମୋଟ ୨୫ ଟି ୱିକେଟ୍ ପଡ଼ିଥିଲା।