fbpx

IND vs ENG ତୃତୀୟ ଟେଷ୍ଟରେ ଫେରିବେ କି ସାର୍ ଜାଡେଜା? ଆହତ ସମସ୍ୟାକୁ ନେଇ ବଡ଼ ଅପଡେଟ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଆହତ ହୋଇ ଟିମ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଦ୍ୱିତୀୟ ଟେଷ୍ଟରେ ତାଙ୍କ ସ୍ଥାନରେ କୁଳଦୀପ ଯାଦବଙ୍କୁ ଦଳରେ ସୁଯୋଗ ଦେଇଛନ୍ତି ରୋହିତ ଶର୍ମା । ତେବେ ଜାଡେଜାଙ୍କ ସହ କେ.ଏଲ ରାହୁଲ ମଧ୍ୟ ଆହତ ଯୋଗୁଁ ଦଳରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ତୃତୀୟ ଟେଷ୍ଟ ପୂର୍ବରୁ ରାହୁଲ ସୁସ୍ଥ ହୋଇ ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି । ଏହାପରେ ବର୍ତ୍ତମାନ ଜାଡେଜାଙ୍କ ଫିଟନେସ ବିଷୟରେ ମଧ୍ୟ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ତୃତୀୟ ଟେଷ୍ଟରେ ଜାଡେଜା କମବ୍ୟାକ କରିପାରିବେକି ନାହିଁ, ସେ ନେଇ ଅନୁମାନ କରାଯାଇଛି ।

ରିପୋର୍ଟ ଅନୁସାରେ, ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରଥମ ମ୍ୟାଚରେ ହାର୍ମଷ୍ଟ୍ରିଙ୍ଗ ଯନ୍ତ୍ରଣା ଯୋଗୁଁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ତେବେ ଜାଡେଜା ବର୍ତ୍ତମାନ ନେସନାଲ କ୍ରିକେଟ ଏକାଡେମୀରେ ରିକଭରୀ ପାଇଁ ପ୍ରସ୍ତୁତ ହେଉଛନ୍ତି । ସାଧାରଣତଃ ଏହି ଯନ୍ତ୍ରଣାରୁ ସୁସ୍ଥ ହେବା ପାଇଁ ଜଣେ ଖେଳାଳିଙ୍କୁ ୩-୮ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିଥାଏ । ତେଣୁ ଜାଡେଜା ସମ୍ଭବତଃ ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରୁ ବାଦ୍ ପଡ଼ିପାରନ୍ତି । ପ୍ରଥମ ମ୍ୟାଚରେ ବ୍ୟାଟିଂ ଏବଂ ବୋଲିଂ ଉଭୟ ବିଭାଗରେ ଦମଦାର ପ୍ରଦର୍ଶନ କରିଥିଲେ ରବିନ୍ଦ୍ର ଜାଡେଜା । ତେଣୁ ଯଦି ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିବେ, ତାହା ଭାରତୀୟ ଦଳ ପାଇଁ ଏକ ଶକ୍ତ ଝଟକା ହୋଇପାରେ ।

ଅନ୍ୟ ପକ୍ଷରେ ଜାଡେଜାଙ୍କ ସହ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିବା କେ.ଏଲ ରାହୁଲ ସୁସ୍ଥ ହୋଇ ତୃତୀୟ ମ୍ୟାଚରେ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ସେପଟେ ଦ୍ୱିତୀୟ ମ୍ୟାଚ ସରିବା ପରେ ଭାରତ ଶେଷ ୩ଟି ମ୍ୟାଚ ପାଇଁ ଦଳ ଘୋଷଣା କରିବ । ଏହାବ୍ୟତୀତ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କମବ୍ୟାକକୁ ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ । ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସେ ବିରତୀ ନେଇଥିବା ବେଳେ ତୃତୀୟ ମ୍ୟାଚରେ ସେ ମଧ୍ୟ ଦଳକୁ ଫେରିବେ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି ।

Get real time updates directly on you device, subscribe now.