fbpx

ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ କରାଯିବା ଉପରେ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର, କାରଣ ବି କହିଲେ

ନ୍ୟୁଜିଲାଣ୍ଡ : ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ପାଇଁ ଆଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ବିସିସିଆଇର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଆକାଶ ଚୋପ୍ରା। ରାହାଣେ କାନପୁରରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଦଳର ନେତୃତ୍ଵ ନେବାକୁ ପ୍ରସ୍ତୁତ। ଏହା ପରେ କୋହଲି ବିଶ୍ରାମରୁ ଫେରିବା ପରେ ଦ୍ଵିତୀୟ ଟେଷ୍ଟରେ ଦଳର ନେତୃତ୍ଵ ନେବେ। ନବନିଯୁକ୍ତ ଟି-୨୦ ଅନ୍ତର୍ଜାତୀୟ ଦଳର ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ବିଶ୍ରାମକୁ ନେଇ ବିବାଦରେ ଥିଲେ। ଏମିତିରେ ରୋହିତ ଏବଂ କୋହଲିଙ୍କ ଅନୁପସ୍ଥିତିରେ ରାହାଣେଙ୍କୁ ଅଧିନାୟକ ଦାୟିତ୍ଵ ଦିଆଯାଇଛି। ରାହାଣେ ଗତ କିଛି ବର୍ଷ ଧରି ଟେଷ୍ଟ ଦଳର ଉପ ଅଧିନାୟକ ରହିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସେ ଅଷ୍ଟ୍ରେଲିଆରେ ପ୍ରତିଷ୍ଠିତ ବର୍ଡର-ଗାଭାସ୍କର ଟ୍ରଫିର ତିନୋଟି ମ୍ୟାଚ୍ରେ ଦଳର ନେତୃତ୍ଵ ନେଇଥିଲେ। ଭାରତ ଏହି ଟ୍ରଫି ଜିତି ଇତିହାସ ରଚିଥିଲା।
ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ରାହାଣେଙ୍କୁ ଅଧିନାୟକ କରାଯିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। କାରଣ ଦଳରେ ତାଙ୍କର ଚୟନ ସନ୍ଦେହରେ ଥିଲା। ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଆକାଶ ଚୋପ୍ରା କହିଛନ୍ତି, ବିସିସିଆଇ ଆଜିଙ୍କ୍ୟଙ୍କୁ ଅଧିନାୟକ ଭାବେ ଚୟନ କରିଛି। ମାତ୍ର ସତ ଏହା ଯେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ର ଶେଷ ମ୍ୟାଚରେ ତାଙ୍କର ଚୟନ ନେଇ ସନ୍ଦେହ ଉପୁଜିଥିଲା। କିନ୍ତୁ କରୋନା ପ୍ରକୋପ କାରଣରୁ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଇ ନାହିଁ। ସେ କହିଛନ୍ତି, ମୁଁ ଆଜିଙ୍କ୍ୟ ରାହାଣେଙ୍କୁ ବହୁତ ପସନ୍ଦ କରେ। ମାତ୍ର ଏହା ସତ ଯେ, ତାଙ୍କ ପ୍ରଦର୍ଶନ ନିମ୍ନଗାମୀ ହୋଇଛି। ଗତ ଦୁଇ ବର୍ଷରେ ରାହାଣେଙ୍କ ବ୍ୟାଟିଂ ହାରରେ ୨୦ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି, ଯାହା ତାଙ୍କ କ୍ୟାରିୟରରେ କେବେ ଦେଖିବାକୁ ମିଳିନଥିଲା।
ଲର୍ଡ୍ସ ଅର୍ଦ୍ଧଶତକ ବଞ୍ଚାଇ ଦେଲା
ଆକାଶ ଚୋପ୍ରା କହିଛନ୍ତି, ଲର୍ଡ୍ସରେ ଅର୍ଦ୍ଧଶତକ ରାହାଣେଙ୍କୁ ଦଳରୁ ବାଦ୍ ପଡିବାରେ ବଞ୍ଚାଇ ଦେଇଛି। ହେଲେ ନ୍ୟୁଜିଲାଣ୍ଡ ସିରିଜ୍ ତାଙ୍କ କ୍ୟାରିୟର ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ। ରାହାଣେ ବିଫଳ ହେଲେ ରୋହିତଙ୍କୁ ଟେଷ୍ଟର ଉପ ଅଧିନାୟକ କରାଯାଇପାରେ ଏବଂ ରାହାଣେଙ୍କୁ ନୋଟିସ୍ ଦିଆଯାଇପାରେ।
ସୂଚନାଯୋଗ୍ୟ, ଗତ ବର୍ଷ ନିଜର ନେତୃତ୍ଵରେ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ଜିତାଇବା ଆଜିଙ୍କ୍ୟ ରାହାଣେଙ୍କ ବ୍ୟାଟ୍ ଶାନ୍ତ ରହିଛି। ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ରାହାଣେ ବଡ ଇନିଂସ ଖେଳିବାରେ ବିଫଳ ରହିଥିଲେ। ଏହା ପରଠୁ ଚୂଡାନ୍ତ ଏକାଦଶରେ ତାଙ୍କୁ ସାମିଲ୍ କରିବା ନେଇ ପ୍ରଶ୍ନ ଉଠି ଆସିଛି। ଗତ ବର୍ଷ ମେଲବର୍ଣ୍ଣ ଟେଷ୍ଟ ପରଠୁ ରାହାଣେ ୧୧ ଟେଷ୍ଟ ଖେଳିଛନ୍ତି ଏବଂ ମାତ୍ର ୧୯ ହାରରେ ୩୭୨ ରନ କରିଛନ୍ତି।

Get real time updates directly on you device, subscribe now.