fbpx

WTC ଟେଷ୍ଟ ମାନ୍ୟତାରେ ଭାରତର ରାଜୁତି: ଇଂଲଣ୍ଡକୁ ହରାଇ ଶୀର୍ଷରେ ରୋହିତ ସେନା

ନୂଆଦିଲ୍ଲୀ: ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏଥିସହିତ ଭାରତ ଟେଷ୍ଟ ସିରିଜକୁ ୪-୧ରେ କବଜା କରିଛି । ତେବେ ଏହି ବିଜୟ ସହ ଭାରତୀୟ ଦଳକୁ ଆହୁରି ୨ଟି ଉପହାର ମଧ୍ୟ ମିଳିଛି । ଇଂଲଣ୍ଡ ବିପକ୍ଷ ପଞ୍ଚମ ମ୍ୟାଚରେ ବିଜୟ ପରେ ପଏଣ୍ଟ ଟେବୁଲର ଶୀର୍ଷରେ ସ୍ଥାନ ପାଇଛି ଭାରତୀୟ ଦଳ । ଅଷ୍ଟ୍ରେଲିଆକୁ ପଛରେ ପକାଇ ୧ ନମ୍ବର ସ୍ଥାନରେ ପହଞ୍ଚିଛି ରୋହିତ ସେନା । ଏ ନେଇ ଆଇସିସି ପଏଣ୍ଟ ଟେବୁଲ ଜାରି କରିଛି ।

ଭାରତ-ଇଂଲଣ୍ଡ ଟେଷ୍ଟ ପରେ ଆଇସିସି ତରଫରୁ ଜାରି ହୋଇଛି ନୂଆ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲ । ତେବେ ଭାରତ ଏହି ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ସିରିଜରେ ଏକତରପା ବିଜୟ ଭାରତକୁ ଏହି ପଏଣ୍ଟ ଟେବୁଲରେ ମଧ୍ୟ ଖୁବ ଫାଇଦା ଦେଇଛି । ୯ଟି ଟେଷ୍ଟ ମ୍ୟାଚରୁ ୬ଟି ମ୍ୟାଚରେ ବିଜୟୀ ହୋଇ ୬୮.୫୧ ପ୍ରତିଶତ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଉପରେ କବଜା କରିଛି ଟିମ ଇଣ୍ଡିଆ । ତେବେ ଭାରତର ଏହି ସଫଳତା ପରେ ଆଇସିସି ଏକ ବୟାନରେ କହିଛି ଯେ, ଧର୍ମଶାଳାରେ ଇନିଂସ ଏବଂ ୬୪ ରନର ବିଜୟ ଭାରତକୁ ୧୨ ମହତ୍ତ୍ୱପୂର୍ଣ୍ଣ ପଏଣ୍ଟ ପ୍ରଦାନ କରିଛି । ଏହାଦ୍ୱାରା ଟିମ ଇଣ୍ଡିଆ ୭୪ ପଏଣ୍ଟ ପାଇଥିବା ବେଳେ ୬୪.୫୮ରୁ ୬୮.୫୧ ପ୍ରତିଶତ ଅଙ୍କରେ ପହଞ୍ଚିପାରିଛି ଟିମ ଇଣ୍ଡିଆ ।

ତେବେ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ । ଏହାପରେ ତୃତୀୟରେ ଅଷ୍ଟ୍ରେଲିଆ ରହିଥିବା ବେଳେ ଇଂଲଣ୍ଡ ଏହି ସିରିଜରେ ପରାସ୍ତ ହୋଇ ଅଷ୍ଟମ ସ୍ଥାନରେ ରହିଛି । ସେପଟେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ମଧ୍ୟ ଭାରତ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଶୀର୍ଷ ସ୍ଥାନ ଉପରେ କବଜା କରିଛି । ୩୮ଟି ମ୍ୟାଚରୁ ୧୨୨ ରେଟିଂ ସହ ଭାରତ ଟପ୍ କରିଥିବା ବେଳେ ଦ୍ୱିତୀୟରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.