fbpx

ପ୍ୟାରିସ ଅଲିମ୍ପିକ୍ସ, Day-1 ଶିଡ୍ୟୁଲ: ଶୁଟିଂରେ ପଦକ ଜିତି ବିଜୟ ଯାତ୍ରା ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଆଜିଠାରୁ ଭାରତ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମୋଟ ୧୧୨ ଜଣ ଆଥଲେଟ ୧୬ଟି କ୍ରୀଡ଼ାରେ ୬୯ଟି ମେଡାଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ୫ ଜଣ ରିଜର୍ଭ ଆଥଲେଟ ରହିଛନ୍ତି । ପ୍ରଥମ ଦିନରେ ଭାରତୀୟ ଆଥଲେଟ୍ସ ହକି, ଟେନିସ, ବ୍ୟାଡମିଣ୍ଟନରେ କ୍ୱାଲିଫିକେସନ ମୁକାବିଲା ଖେଳିବେ । ତେବେ ଆଜି ପ୍ରଥମ ଦିନରେ ଭାରତ ଶୁଟିଂରେ ପଦକ ଜିତି ପ୍ୟାରିସ ଅଲିମ୍ପିକ୍ସରେ ତା’ର ବିଜୟ ଯାତ୍ରା ଶୁଭାରମ୍ଭ କରିବା ଲକ୍ଷ୍ୟରେ ରହିଛି ।

ଗତ ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତ ପକ୍ଷରୁ ମିରାବାଇ ଚାନୁ ପଦକ ଜିତିଥିବା ବେଳେ ଚଳିତ ଅଲିମ୍ପିକ୍ସରେ ମଧ୍ୟ ଭାରତ ଶୁଟିଂରେ ପଦକ ଜିତି ଯାତ୍ରା ଆରମ୍ଭ ଲକ୍ଷ୍ୟରେ ରହିଛି । ଗତକାଲି ରାତିରେ ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ କାର୍ଯ୍ୟକ୍ରମ ବଡ଼ ରଙ୍ଗାରଙ୍ଗ ମାହୋଲରେ ଆରମ୍ଭ ହୋଇଥିବା ବେଳେ ଆଜି ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀମାନେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ପାଇଁ ଲଢ଼େଇ କରିବେ । ଆଜି ଭାରତୀୟ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭାରତୀୟ ନୌଚାଳକ ବଲରାଜ ପନୱର ମଧ୍ୟାହ୍ନ ୧୨.୩୦ରେ ତାଙ୍କର ପ୍ରତିଯୋଗିତାକୁ ଓହ୍ଲାଇବେ । ଭାରତୀୟ ହକି ଟିମ୍ ଗ୍ରୁପ-ଷ୍ଟେଜରେ ନ୍ୟୁଜିଲାଣ୍ଡକୁ ଭେଟିବ । ସେହିପରି ସନ୍ଧ୍ୟା ସମୟରେ ଲକ୍ଷ୍ୟ ସେନ, ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ- ଚିରାଗ ଶେଟ୍ଟୀ ଓ ମହିଳା ଡବଲ୍ସ ଯୋଡ଼ି ଅଶ୍ୱିନୀ ପୁନ୍ନାପ୍ପା ଓ ତନିଶା କ୍ରାଷ୍ଟ୍ରୋ ବ୍ୟାଡମିଣ୍ଟନ ମୁକାବିଲାକୁ ଓହ୍ଲାଇବେ । ଟେନିସରେ ଭେଟେରାନ ରୋହନ ବୋପାନ୍ନା ଓ ଶ୍ରୀରାମ ବାଲାଜୀ କୋର୍ଟକୁ ଓହ୍ଲାଇବେ । ସିଙ୍ଗଲ୍ସ ଟେବୁଲ ଟେନିସରେ ହରମିତ ଦେଶାଇ ଭାଗ ନେବେ । ଶୁଟିର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର କ୍ୱାଲିଫିକେସନ ରାଉଣ୍ଡରେ ପୁରୁଷ ଓ ମହିଳା ଭାଗନେବେ । ୧୦ ମିଟର ଏୟାର ପିସ୍ତଲ କ୍ୱାଲିଫିକେସନରେ ଅର୍ଜୁନ ସିଂହ ଛିମା ଓ ସରାବଜୋତ ସିଂହ ଭାଗ ନେବେ । ମନୁ ବକରଙ୍କ ଉପରେ ପଦକ ଜିତିବା ନେଇ ଆଶା ରହିଛି ।

Get real time updates directly on you device, subscribe now.