ଇତିହାସ ରଚିଲା ଭାରତୀୟ ହକି ଟିମ୍: ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ, ପ୍ରତି ଖେଳାଳିଙ୍କ ପାଇଁ ୨ ଲକ୍ଷ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଜୁନିୟର ହକି ଟିକ୍ ଇତିହାସ ରଚିଛି । ପାକିସ୍ତାନକୁ ୨-୧ ଗୋଲରେ ପରାସ୍ତ କରି ଭାରତ ଜୁନିୟର ଏସିଆ କମ୍ ଚାମ୍ପିୟନ ହୋଇଛି । ଓମାନଠାରେ ଅନୁଷ୍ଠିତ ଏହି ହାଇ ଭୋଲଟେଜ୍ ମ୍ୟାଚରେ ଭାରତ ପକ୍ଷରୁ ଅଙ୍ଗଦ ସିଂହ ୧୩ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ୨୦ତମ ମିନିଟରେ ଅରାଇଜିତ ସିଂହ ହୁଣ୍ଡାଲ ଦ୍ୱିତୀୟ ଗୋଲ ଦେଇଥିଲେ । ତେବେ ପାକିସ୍ତାନ ମ୍ୟାଚର ଦ୍ୱିତୀୟାର୍ଦ୍ଧାରେ ଗୋଟିଏ ଗୋଲ ଦେଇଥିଲା ।

ତେବେ ଏହି ବିଜୟ ପରେ ହକି ଇଣ୍ଡିଆ ପକ୍ଷରୁ ସମସ୍ତ ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ପ୍ରତି ଖେଳାଳିଙ୍କୁ ୨ ଲକ୍ଷ ଓ ପ୍ରତି ସହଯୋଗୀ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ମିଳିବ । ଏହା ପୂର୍ବରୁ ଭାରତ ୨୦୦୪, ୨୦୦୮ ଓ ୨୦୧୫ରେ ଟାଇଟଲ ହାସଲ କରିଥିଲା । ସେହିପରି ୧୯୮୭, ୧୯୯୨ ଓ ୧୯୯୬ରେ ଟିମ୍ ଇଣ୍ଡିଆ ରନର୍ସ ଅପ୍ ହୋଇଥିଲା ।

ଉଭୟ ଭାରତ ଓ ପାକିସ୍ତାନ ପୂର୍ବରୁ ଜୁନିୟର ଏସିଆ କପ ହକିରେ ୩-୩ ଥର ବିଜେତା ହୋଇଥିଲେ । ଏହି ବିଜୟ ଫଳରେ ଭାରତର ସର୍ବାଧିକ ୪ ଥର ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି । ତେବେ ଏହି ରେକର୍ଡ ବିଜୟ ଫଳରେ ଭାରତ ମାଲେଶିଆରେ ଅନୁଷ୍ଠିତ ହେବାକୁ ଥିବା ଏଫଆଇଏଚ ପୁରୁଷ ଜୁନିୟର ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଛି । ମ୍ୟାଚର ପ୍ରଥମ ମିନିଟରେ ହିଁ ଭାରତ ତା’ର ପ୍ରଥମ ପେନାଲଟି ସୁଯୋଗ ପାଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ତାହା ହାତଛଡ଼ା ହୋଇଥିଲା ।