ଶରଣାର୍ଥୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, କହିଲେ- ଭାରତ ଧର୍ମଶାଳା ନୁହେଁ

ଭାରତ ଧର୍ମଶାଳା ନୁହେଁ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶରଣାର୍ଥୀଙ୍କୁ ନେଇ କଡ଼ା ଟିପ୍ପଣୀ ଜାରି କଲେ ସୁପ୍ରିମକୋର୍ଟ। ଭାରତ କୌଣସି ଧର୍ମଶାଳା ନୁହେଁ, ଆମେ କାହିଁକି ଅନ୍ୟମାନଙ୍କୁ ଶରଣ ଦେବୁ ବୋଲି କହିଲେ ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ୧୪୦ କୋଟି ଲୋକଙ୍କ ପାଇଁ ଆମେ ସଂଘର୍ଷ କରୁଛୁ। ସୁପ୍ରିମକୋର୍ଟ ଆଜି ଏକ ଶ୍ରୀଲଙ୍କାର ନାଗରିକଙ୍କ ଶରଣର ପିଟିସନକୁ ଖାରଜ କରି ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ପ୍ରଦାନ କରିଛନ୍ତି।

ବିଚାରପତି ଦୀପାଙ୍କର ଦତ୍ତା ଏବଂ ବିଚାରପତି ବିନୋଦ ଚନ୍ଦ୍ରନଙ୍କ ପୀଠ ଜଣେ ଶ୍ରୀଲଙ୍କାର ନାଗରିକଙ୍କ ପିଟିସନ ଉପରେ ଶୁଣାଣି କରୁଥିଲେ। ଯାହାଙ୍କୁ ୨୦୧୫ରେ ଲିବରେସନ ଟାଇଗର୍ସ ଅଫ ତାମିଲ ଇଲମଙ୍କ ସହ ଜଡ଼ିତ ସନ୍ଦେହରେ ଗିରଫ କରାଯାଇଥିଲା, ଯାହା ଏକ ସମୟରେ ଶ୍ରୀଲଙ୍କାରେ ସକ୍ରିୟ ଏକ ଆତଙ୍କବାଦୀ ସଂଗଠନ।

୨୦୧୮ରେ ଏକ ଟ୍ରାୟଲ କୋର୍ଟ ଏହି ବ୍ୟକ୍ତିଙ୍କୁ ବେଆଇନ ଗତିବିଧି ଅଧିନିୟମ ଅନୁଯାୟୀ, ଦୋଷୀ କହିଛନ୍ତି ଏବଂ ତାଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ଶୁଣାଣି କରିଛନ୍ତି।

୨୦୨୨ରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ତାଙ୍କ ଦଣ୍ଡକୁ ହ୍ରାସ କରି ସାତ ବର୍ଷ କରିଦେଇଥିଲେ। ହେଲେ ତାଙ୍କ ଦଣ୍ଡ ପୂରଣ ହେବା ମାତ୍ରେ ତାଙ୍କୁ ଦେଶ ଛାଡ଼ିବାକୁ କୁହାଯିବା ସହ, ରିଲିଜ ପୂର୍ବରୁ ଶରଣାର୍ଥୀ ଶିବିରରେ ରହିବାକୁ କୁହାଯାଇଥିଲା।

ଅବେଦନକାରୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ସେ ଭିସା ନେଇ ଭାରତ ଆସିଥିଲେ ଏବଂ ନିଜ ଦେଶରେ ତାଙ୍କର ଜୀବନ ପ୍ରତି ବିପଦ ଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ଏବଂ ପିଲା ଭାରତରେ ଅଛନ୍ତି ଏବଂ ସେ ହାରାହାରି ତିନି ବର୍ଷ ହେଲାଣି ହେପାଜତରେ ଥିଲେ ଏବଂ ରିଲିଜର ପ୍ରକ୍ରିୟା ଆରମ୍ଭ ହୋଇନାହିଁ।

କୋର୍ଟ କହିଲେ ଏହି ବଡ଼ କଥା: ପିଟିସନର ଜବାବରେ ବିଚାରପତି ଦତ୍ତା କହିଛନ୍ତି ଯେ; ଭାରତ କ’ଣ ସାରା ଦୁନିଆର ଶରଣାର୍ଥୀଙ୍କୁ ସ୍ୱାଗତ କରିବାକୁ ଅଛି। ଆମେ ୧୪୦ କୋଟି ଅଛୁ। ଏହା କୌଣସି ଧର୍ମଶାଳା ନୁହେଁ ଯେ, ଆମେ ପ୍ରତି ସ୍ଥାନରେ ବିଦେଶୀ ନାଗରିକଙ୍କୁ ସ୍ୱାଗତ କରିବୁ।