fbpx

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ : ରୋହିତ-ଦ୍ରାବିଡ ଯୁଗରେ ନୂଆ ଇନିଂସ ଆରମ୍ଭ କରିବ ଟିମ୍ ଇଣ୍ଡିଆ

ଜୟପୁର : ବିଶ୍ୱ କପର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦା ହୋଇଥିବା ଭାରତ ଆଜି ନ୍ୟୁଜିଲାଣ୍ଡ ବିରୋଧରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇବ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଏବଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତୀୟ ଦଳ ଆଜି ନୂତନ ଇନିଂସ ଆରମ୍ଭ କରିବ । ଦ୍ରାବିଡ ଏବଂ ରୋହିତଙ୍କ ଯୋଡି ପାଖରେ ଆଗାମୀ ଟି-୨୦ ବିଶ୍ୱ କପ୍ ପୂର୍ବରୁ ମଜବୁତ ଟିମ୍ ପ୍ରସ୍ତୁତ ପାଇଁ ୧୧ ମାସର ସମୟ ରହିଛି ।

ଏହି ସମୟରେ ଦଳରେ ଆବଶ୍ୟକ ପରିବର୍ତ୍ତନ ଏବଂ ସୁଧାରର ଆବଶ୍ୟକତା ରହିଛି । ୟୁଏଇରେ ଟି-୨୦ ବିଶ୍ୱ କପର ନିରାଶ ପରେ ଭାରତୀୟ ଦଳ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦେଇ ଅନ୍ୟ ଖେଳାଳିଙ୍କ ଉପରେ ବିଚାର କରିବାକୁ ବାଧ୍ୟ ହୋଇଛି । ପାଣ୍ଡ୍ୟାଙ୍କ ଆହତଜନିତ ସମସ୍ୟା କାରଣରୁ ସେ ନିଜର ଅଲରାଉଣ୍ଡର କ୍ଷମତାର ପ୍ରଦର୍ଶନ କରି ପାରୁ ନାହାନ୍ତି । ରୋହିତ ଓ ଦ୍ରାବିଡ ଅଷ୍ଟ୍ରେଲିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ଯୋଗ୍ୟତାକୁ ପରଖିବାକୁ ପଡିବ । ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ୍ ଖେଳାଯିବ ।

ଭାରତୀୟ ଦଳରେ ଅଛନ୍ତି ପାଞ୍ଚ ଓପନର

ଭାରତୀୟ ଦଳର ଟି-୨୦ ଫର୍ମାଟରେ ପାଞ୍ଚ ଜଣ ଓପନର ରହିଛନ୍ତି । ସେମାନଙ୍କୁ ମଧ୍ୟକ୍ରମରେ ଖେଳାଯିବା ବହୁତ ଆହ୍ୱାନପୂର୍ଣ୍ଣ ରହିବ । ରୋହିତ ଏବଂ କେଏଲ ରାହୁଲ ଇନିଂସ ଓପନ କରିି ପାରନ୍ତି । କିଶନ ଓ ଗାଏକୱାଡଙ୍କ ରୂପେ ଅଧିକ ବିକଳ୍ପ ଥିବାରୁ ଭାରତ ଆଉ କିଛି ପ୍ରୟୋଗ କରିପାରେ । ଭେଙ୍କଟେଶ ଆୟର କେକେଆର ପକ୍ଷରୁ ଓପନିଂ କରିଥିଲେ ମଧ୍ୟ ସେ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ । ସୂର୍ଯ୍ୟକୁମାର ଯାଦବ ବିଶ୍ୱ କପରେ ନିଜର ଲୟ ହାସଲ କରି ପାରିନଥିଲେ । ମାତ୍ର ସେ ଏମିତି ଜଣେ ଖେଳାଳି ଯାହାଙ୍କୁ ବିଶେଷ କରି ଅଷ୍ଟ୍ରେଲିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚତୁର୍ଥ ନମ୍ବର ପାଇଁ ପ୍ରସ୍ତୁତ କରାଯାଇପାରେ ।

ଭେଙ୍କଟେଶଙ୍କ ଉପରେ ସଭିଙ୍କ ନଜର

ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଭେଙ୍କଟେଶ ଆୟରଙ୍କୁ ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଦେଖା ଯାଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଏହା ଜଣାପଡିବ ଯେ, ଆୟରଙ୍କୁ ଦ୍ରୁତ ବୋଲର ଅଲରାଉଣ୍ଡର ଭାବେ ପ୍ରସ୍ତୁତ କରାଯିବ କି ନାହିଁ । ଭାରତ ବ୍ୟାଟିଂ କ୍ରମରେ ଅଧିକ ପାୱାର ହିଟରଙ୍କୁ ଦଳରେ ରଖିପାରେ । ଆଇପିଏଲରେ ଲୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ଆୟର ଲମ୍ବା ଏବଂ ବଡ ସଟ୍ ଖେଳି ନିଜ କ୍ଷମତା ଦେଖାଇ ସାରିଛନ୍ତି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଯେଉଁ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି, ସେମାନଙ୍କ ମଧ୍ୟରେ ଋତୁରାଜ ଗାଏକୱାଡ, ହର୍ଷଲ ପଟେଲ, ଅଭେଶ ଖାନ ଓ ୟୁଜବେନ୍ଦ୍ର ଚହଲ ସାମିଲ । ଚହଲଙ୍କୁ ଟି-୨୦ ବିଶ୍ୱ କପ ଦଳରୁ ବାହାରେ ରଖିବା ବହୁତ ବିବାଦୀୟ ରହିଥିଲା ।

ଭୁବନେଶ୍ୱର କୁମାର ୟୁଏଇରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ପାରିନଥିଲେ । ତାଙ୍କୁ ନିଜର ପୁରୁଣା ଫର୍ମକୁ ଫେରିବା ପାଇଁ ଆଉ ଏକ ସୁଯୋଗ ଦିଆଯାଇଛି । ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଥିବା କାରଣରୁ ଅକ୍ଷର ସ୍ପିନ ବୋଲିଂ ଅଲରାଉଣ୍ଡର ଭୂମିକା ତୁଲାଇ ପାରନ୍ତି । ଅଶ୍ୱିନ ଚୂଡାନ୍ତ ଏକାଦଶରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଭାରତ ବିରୋଧରେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି

ମୋଟ୍ ଟି-୨୦ ମ୍ୟାଚ୍ – ୧୭

ଭାରତ ଜିତିଛି- ୬

ନ୍ୟୁଜିଲାଣ୍ଡ ଜିତିଛି- ୯

ଟାଇ- ୨

Get real time updates directly on you device, subscribe now.