fbpx

ଆସନ୍ତା ରବିବାର ପୁଣି ଥରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ, ଏମିତି ରହିଛି ସମୀକରଣ

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୨ର ମୁଖ୍ୟ ମୁକାବିଲା ଆରମ୍ଭ ହୋଇ ସାରିଛି। ଅଦ୍ୟାବଧି ଟୁର୍ଣ୍ଣାମେଣ୍ଟରେ ଦୁଇଟି ମ୍ୟାଚ୍ ଖେଳାଯିବା ସରିଛି। ପ୍ରଥମ ମୁକାବିଲାରେ ଆଫଗାନିସ୍ତାନ ଶ୍ରୀଲଙ୍କାକୁ ୮ ଓ୍ଵିକେଟରେ ହରାଇଥିବା ବେଳେ ଦ୍ଵିତୀୟ ରୋମାଞ୍ଚକର ମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇଛି। ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ସାରା କ୍ରିକେଟ୍ ପ୍ରେମୀ ଉତ୍କଣ୍ଠାର ସହ ଚାହିଁ ରହିଥିଲେ, ଯାହା ଗତକାଲି ଅନୁଷ୍ଠିତ ହୋଇଛି। ଏବେ ପୁଣି ଥରେ ସେପ୍ଟେମ୍ବର ୪ ତାରିଖରେ ସୁପର ୪ ମୁକାବିଲାରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇ ପାରନ୍ତି।

ଗ୍ରୁପ ଏରେ ଭାରତ ଏବଂ ପାକିସ୍ତାନ ବ୍ୟତୀତ ହଂକଂ ଦଳ ରହିଛି। ହଂକଂ ଏହି ଦୁଇ ଦଳଠୁ ବହୁତ ଦୁର୍ବଳ। ଭାରତୀୟ ଦଳ ଅଗଷ୍ଟ ୩୧ରେ ହଂକଂ ବିପକ୍ଷରେ ନିଜର ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଭାରତ ଏହି ମ୍ୟାଚରେ ବିଜୟୀ ହେଲେ ସହଜରେ ସୁପର ୪ରେ ପ୍ରବେଶ କରିବ। ଅନ୍ୟପଟେ ସେପ୍ଟେମ୍ବର ୨ରେ ପାକିସ୍ତାନ ହଂକଂ ବିପକ୍ଷରେ ଖେଳିବ। ବର୍ତ୍ତମାନର ଫର୍ମ ଏବଂ ଦଳର ଖେଳାଳିଙ୍କୁ ଦେଖିଲେ ଉକ୍ତ ମ୍ୟାଚରେ ପାକିସ୍ତାନ ବିଜୟ ହାସଲ କରିବ। ଏଥିସହ ଗ୍ରୁପ ଏରୁ ଦୁଇ ବିଜେତା ଦଳ ସେପ୍ଟେମ୍ବର ୪ରେ ପୁଣି ଥରେ ମୁହାଁମୁହଁ ହେବେ।

ଯଦି ଦୁର୍ଭାଗ୍ୟବଶତଃ ଅଗଷ୍ଟ ୩୧ରେ ଭାରତ ହଂକଂଠୁ ହାରିଯାଏ, ତେବେ ଏମିତି ସ୍ଥିତିରେ ପାକିସ୍ତାନ ଦଳକୁ ଯେମିତି ହେଲେ ହଂକଂ ବିପକ୍ଷରେ ନିଜର ଶେଷ ମୁକାବିଲା ଜିତିବାକୁ ପଡିବ। ଏମିତି ସ୍ଥିତିରେ ନେଟ୍ ରନ ରେଟ୍ ଆଧାରେ ଦୁଇ ଦଳ ସୁପର ୪ରେ ପହଞ୍ଚିବେ। ହେଲେ ହଂକଂ  ଭାରତ ଏବଂ ପାକିସ୍ତାନକୁ ହରାଇବାର ଆଶା କ୍ଷୀଣ ରହିଛି।  ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ପୁଣି ଥରେ ଭାରତ ଏବଂ ପାକିସ୍ତାନ ପରସ୍ପରର ମୁକାବିଲା କରିବେ।

Get real time updates directly on you device, subscribe now.