fbpx

ନିର୍ଣ୍ଣାୟକ ଟେଷ୍ଟ: ପ୍ରଥମ ଦିନରେ ବୋଲରଙ୍କ ରାଜୁତି, ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯାଉଛି। ପ୍ରଥମ ଦିନ ଖେଳରେ ବୋଲରଙ୍କ ରାଜୁତି ଦେଖିବାକୁ ମିଳିଥିବା ବେଳେ ନିରାଶ କରିଛନ୍ତି ଭାରତୀୟ ବ୍ୟାଟସମ୍ୟାନ। ଭାରତ ଅଧିନାୟକ ବିରାଟ କୋହଲିଙ୍କ(୭୯) ବଳରେ ଭାରତ ୨୨୩ ରନ କରି ପାରିଛି। ଜବାବରେ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଘରୋଇ ଦକ୍ଷିଣ ଆଫ୍ରିକା ୧ ଓ୍ଵିକେଟ୍ ହରାଇ ୧୭ ରନ କରିଛି। ଏଡନ ମାକ୍ରନ(୮) ଏବଂ କେଶବ ମହାରାଜ(୬) ବ୍ୟାଟିଂ କରୁଛନ୍ତି। ଘରୋଇ ଦଳ ଅଧିନାୟକ ଡିନ ଏଲଗର(୩)ଙ୍କ ଭାବେ ପ୍ରଥମ ଓ୍ଵିକେଟ୍ ହରାଇଛି। କୋହଲିଙ୍କ ବ୍ୟତୀତ ଚେତେଶ୍ଵର ପୂଜାରା ୪୩ ରନର ଉଲ୍ଲେଖନୀୟ ଇନିଂସ ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡା ୪ ଏବଂ ମାର୍କୋ ଜନସେନ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ସଠିକ୍ ସାବ୍ୟସ୍ତ କରି ପାରି ନଥିଲେ ଭାରତୀୟ ବ୍ୟାଟସମ୍ୟାନ। ଦଳୀୟ ସ୍କୋର ୩୧ରେ ଲୋକେ ରାହୁଲ(୧୨) ପାଭିଲିୟନ ଫେରିଥିଲେ। ଏହା ପରେ ପରେ ମୟଙ୍କ ଅଗ୍ରଓ୍ଵାଲ(୧୫) ବିଦାୟ ନେଇଥିଲେ। ୩୩ ରନରେ ଦୁଇ ଓପନ ଆଉଟ୍ ହେବା ପରେ ଚେତେଶ୍ଵର ପୂଜାରା ଓ ବିରାଟ କୋହଲି ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ରେ ୬୨ ରନ ଯୋଡିଥିଲେ। ତେବେ କ୍ରିଜରେ ସେଟ୍ ଥିବା ଚେତେଶ୍ଵର ପୂଜାରା ୯୫ ରନ ସ୍କୋରରେ ବ୍ୟକ୍ତିଗତ(୪୩)ରେ ଆଉଟ୍ ହୋଇଥିଲେ।

ରାହାଣେ(୯) ପୁଣି ଥରେ ବିଫଳ ହୋଇଥିଲେ। ଗୋଟିଏ ବିରାଟ କୋହଲି କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ପନ୍ତ(୨୭) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। କୋହଲି ଅର୍ଦ୍ଧଶତକ ହାସଲ କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ତେବେ ନିମ୍ନ ଅର୍ଡର ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ଭାରତ ବଡ ସ୍କୋର କରିବାରେ ବିଫଳ ହୋଇଛି। ନବମ ବ୍ୟାଟସମ୍ୟାନ ଭାବେ କୋହଲି ୭୯ ରନର ଅଧିନାୟକତ୍ଵ ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଏହା ପରେ ଭାରତ ୨୨୩ ରନରେ ଅଲଆଉଟ୍ ହୋଇଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡା ୭୩ ରନ ଦେଇ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ମାର୍କୋ ଜନସେନ ୫୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

Get real time updates directly on you device, subscribe now.