fbpx

ଆର୍ଚେରୀ ଫାଇନାଲରେ ପହଞ୍ଚିଲା ପୁରୁଷ ରିକର୍ଭ ଟିମ୍: ରୌପ୍ୟ ପଦକ ପକ୍କା କଲା ଭାରତ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି ଭାରତ ଦୁଇଟି ବ୍ରୋଞ୍ଜ ପଦକ ଜିତିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୮୮ରେ ପହଞ୍ଚି ଯାଇଛି । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୫ଟି ବ୍ରୋଞ୍ଜ ପଦକ ରହିଛି ।

ତେବେ ଆର୍ଚେରୀରେ ଭାରତୀୟ ପୁରୁଷ ରିକର୍ଭ ଟିମ୍ ଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତ ଏକ ରୌପ୍ୟ ପଦକ ଜିତିବା ସୁନିଶ୍ଚିତ କରିଛି । ଭାରତୀୟ ଆର୍ଚେରୀ ପୁରୁଷ ଟିମ ପ୍ରତିପକ୍ଷ ବାଂଲାଦେଶକୁ ପରାସ୍ତ କରିଛି । ଅତନୁ, ଭିରାଜ ଓ ତୁଶାରଙ୍କୁ ନେଇ ଗଠିତ ପୁରୁଷ ରିକର୍ଭ ଟିମ୍ ବାଂଲାଦେଶକୁ ୫-୩ରେ ପରାସ୍ତ କରିଛି । ଏହା ପୂର୍ବରୁ ମହିଳା ଆର୍ଚେରୀ ରିକର୍ଭ ଟିମ ଆଜିର ପ୍ରଥମ ପ୍ରଦକ ଜିତିଥିଲା । ଅଙ୍କିତା ଭକତ, ଭଜନ କୌର ଓ ସିମ୍ରନଜିତ କୌରଙ୍କୁ ନେଇ ଗଠିତ ମହିଳା ଟିମ୍ ଭିଏତନାମକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା ।

ଏହାପୂର୍ବରୁ କବାଡ଼ି ସେମିଫାଇନାଲରେ ଭାରତୀୟ ମହିଳା ଦଳ ୬୧-୧୭ରେ ପ୍ରତିପକ୍ଷ ନେପାଳକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଥିଲା । ଟି-୨୦ରେ ଭାରତ ପ୍ରତିପକ୍ଷ ବାଂଲାଦେଶକୁ ସେମିଫାଇନାଲରେ ପରାସ୍ତ କରି ଫାଇନାଲରେ ପହଞ୍ଚିବା ସହ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲା । ଆର୍ଚେରୀରେ ଭିଏତନାମକୁ ହରାଇ ଭାରତୀୟ ମହିଳା ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା । ସେହିପରି ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଏଚ.ଏସ ପ୍ରଣୟ ୪୧ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.