fbpx

ଭାରତୀୟ ଖେଳାଳିଙ୍କ ପାଇଁ ଖୁସି ଖବର, ପରିବାର ସଦସ୍ୟଙ୍କୁ ଇଂଲଣ୍ଡ ଗସ୍ତରେ ନେବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ଓ ମହିଳା ଦଳ ଲମ୍ବା ଗସ୍ତରେ ଇଂଲଣ୍ଡ ଯାତ୍ରା କରିବେ । ଦୁଇ ଦଳର ଖେଳାଳି ଏବଂ ସହଯୋଗୀ ସଦସ୍ୟଙ୍କ ସହ ସେମାନଙ୍କ ପରିବାର ସଦସ୍ୟଙ୍କୁ ଇଂଲଣ୍ଡ ଗସ୍ତରେ ଯିବାକୁ ଅନୁମତି ମିଳିଛି । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ)ର ସୂତ୍ରରୁ ମଙ୍ଗଳବାର ଏହି ଖବର ସାମ୍ନାକୁ ଆସିଛି । ବିସିସିଆଇ ଇଂଲଣ୍ଡ ବୋର୍ଡକୁ ଅନୁରୋଧ କରିଥିଲା ଯେ, ଖେଳାଳିଙ୍କୁ ନିଜ ପରିବାର ସଦସ୍ୟଙ୍କ ସହ ଇଂଲଣ୍ଡ ଗସ୍ତ କରିବାକୁ ଅନୁମତି ଦିଆଯାଉ । କାରଣ ଖେଳାଳିଙ୍କୁ ଏହି ଗସ୍ତରେ ଦୀର୍ଘ ଦିନ ଧରି ଜୈବ ନିରାପତା ବଳୟରେ ରହିବାକୁ ପଡିବ ।

ସୂଚନା ଅନୁଯାୟୀ, କଡା କ୍ୱାରେଂଟାନ ନିୟମ କାରଣରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଉପସ୍ଥିତ ରହି ପାରିବେ ନାହିଁ । କିନ୍ତୁ ଖେଳାଳିଙ୍କ ପାଇଁ ଆଶ୍ୱସ୍ତିକର ଖବର ଯେ, ସେମାନଙ୍କ ପରିବାର ସଦସ୍ୟଙ୍କୁ ଇଂଲଣ୍ଡ ଗସ୍ତ କରିବାକୁ ଅନୁମତି ମିଳିଛି ।

ମହିଳା ଦଳର ଖେଳାଳି ମଧ୍ୟ ନିଜ ପରିବାରର ସଦସ୍ୟଙ୍କ ସହ ଇଂଲଣ୍ଡ ଗସ୍ତ କରି ପାରିବେ । କାରଣ ଦୀର୍ଘ ସମୟ ଧରି ଜୈବ ନିରାପତା ବଳୟରେ ରହିଲେ ଏହା ଖେଳାଳିଙ୍କ ମାନସିକ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ଏମିତି ସମୟରେ ପରିବାର ସାଙ୍ଗରେ ଥିଲେ ଖେଳାଳି ଅଧିକ ଫିଟ୍ ରହି ପାରିବେ ।

ବିସିସିଆଇ ମଧ୍ୟ ବୁଝି ପାରିଛି ଯେ, ନିଜ ଖେଳାଳି ଏବଂ ସହଯୋଗୀ ସଦସ୍ୟଙ୍କୁ ମାନସିକ ରୂପେ ଫିଟ୍ ରଖିବାର ଆବଶ୍ୟକତା ରହିଛି । ତେଣୁ ପରିବାରଙ୍କୁ ସାଥୀରେ ନେଇ ଯିବାକୁ ଖେଳାଳିଙ୍କୁ ଅନୁମତି ମିଳିଛି । ଭାରତୀୟ ମହିଳା ଓ ପୁରୁଷ ଦଳ ଲଣ୍ଡନରେ ଓହ୍ଲାଇବା ପରେ ସାଥମ୍ପଟନ ଯାତ୍ରା କରିବେ । ଏଠାରେ ମହିଳା ଦଳ ବ୍ରିଷ୍ଟଲରେ ଜୁନ ୧୬ ରୁ ୧୯ ପର୍ଯ୍ୟନ୍ତ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ଖେଳିବ । ପୁରୁଷ ଓ ମହିଳା ଦଳ ସାଉଥମ୍ପଟନ ହୋଟେଲରେ କଡା ଜୈବ ନିରାପତା ବଳୟରେ ରହିବେ ।

Get real time updates directly on you device, subscribe now.