ଇତିହାସ ରଚିଲା ଟିମ୍ ଇଣ୍ଡିଆ, କ୍ରାନ୍ତିଙ୍କ ଦମଦାର ବୋଲିଂରେ ଆଣ୍ଠେଇଲା ଇଂଲଣ୍ଡ

ଟିମ୍ ଇଣ୍ଡିଆ ସୃଷ୍ଟି କଲା ରେକର୍ଡ, ହାତେଇଲା ଏହି ଟ୍ରଫି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡରେ ୫ଟିକିଆ ଟି୨୦ ସିରିଜକୁ ୩-୨ରେ ନିଜ ନାମରେ କରିଥିଲେ। ବର୍ତ୍ତମାନ ତିନୋଟି ମ୍ୟାଚର ଦିନିକିଆ ସିରିଜକୁ ମଧ୍ୟ ୨-୧ରେ ଜିତିବାରେ ସଫଳତା ହାସଲ କରିଛନ୍ତି।

ଏହି ଦିନିକିଆ ସିରିଜର ଶେଷ ମ୍ୟାଚ ୨୨ ଜୁଲାଇରେ ଚେଷ୍ଟର ଲୀ ଷ୍ଟ୍ରିଟ ମଇଦାନରେ ଖେଳାଯାଇଥିଲା। ଏଥିରେ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି କ୍ୟାପ୍ଟେନ ହରମନପ୍ରୀତ କୌରଙ୍କ ବିସ୍ଫୋରକ ଶତକୀୟ ଇନିଂସ ଦମରେ ୫୦ ଓଭରରେ ୫ ୱିକେଟ କ୍ଷତିରେ ୩୧୮ ରନର ସ୍କୋର କରିଛି।

ସେହିପରି ଏହି ଟାର୍ଗେଟ୍‌କୁ ପିଛା କରି ଇଂଲଣ୍ଡର ଟିମ ୩୦୫ ରନ କରି ପରାଜୟର ଶିକାର ହୋଇଛି। ଭାରତୀୟ ଟିମ ପ୍ରଥମଥର ଇଂଲଣ୍ଡକୁ ନିଜ ଘରେ ଦିନିକିଆ ସିରିଜରେ ପରାଜୟ କରିବାରେ ସଫଳ ହୋଇଛି।

ଇଂଲଣ୍ଡ ମହିଳା ଟିମ ପାଇଁ ତୃତୀୟ ଦିନିକିଆରେ ଟିମ ଇଣ୍ଡିଆର ଦ୍ରୁତ ବୋଲର କ୍ରାନ୍ତି ଗୌଡ଼ ସବୁଠୁ ବଡ଼ ବିପଦ ହୋଇ ଉଭା ହୋଇଛନ୍ତି। କ୍ରାନ୍ତି ଏହି ମ୍ୟାଚରେ ନିଜର ୯.୫ ଓଭରରେ ୫୨ ରନ କରିବା ସହ ୬ ୱିକେଟ ହାସଲ କରିଛନ୍ତି।

କ୍ରାନ୍ତି ଏହି ମ୍ୟାଚରେ ଇଂଲଣ୍ଡ ଟିମର ଦୁଇ ଓପନିଂ ବ୍ୟାଟରଙ୍କୁ ସଙ୍ଗେ ସଙ୍ଗେ ପାଭେଲିୟନ ପଠାଇବାରେ ସଫଳ ହୋଇଛନ୍ତି। କ୍ରାନ୍ତି ମହିଳା କ୍ରିକେଟରେ ଭାରତ ପକ୍ଷରୁ ଏକ ଦିନିକିଆ ମ୍ୟାଚରେ ୬ ୱିକେଟ ହାସଲ କରିଥିବା ଚତୁର୍ଥ ଖେଳାଳି ହୋଇଛନ୍ତି।

କ୍ରାନ୍ତିଙ୍କ ବ୍ୟତୀତ ଶ୍ରୀ ଚରଣୀ ୨ ଏବଂ ଦୀପ୍ତି ଶର୍ମା ମଧ୍ୟ ଏକ ୱିକେଟ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚରେ ଇଂଲଣ୍ଡ ପକ୍ଷରୁ କ୍ୟାପ୍ଟେନ ନାଟ-ସାଇଭର ବ୍ରଣ୍ଟ ୯୮ ଏବଂ ଏମା ଲାମ୍ବ ୬୮ ରନ କରିଥିଲେ କିନ୍ତୁ ସେ ନିଜ ଟିମ୍‌କୁ ଜିତାଇବାରେ ସଫଳ ହୋଇପାରିଲେନି।